ନେଟୱର୍କ ସମସ୍ୟାକୁ ନେଇ ଗୁଦାରୀରେ ଫୁଲବାଣୀ - ଭୁବନେଶ୍ୱର ମୁଖ୍ୟ ରାସ୍ତାରୋକ
ଖଜୁରୀପଡ଼ା, ୨୮/୦୭ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୁଦାରୀ ପଞ୍ଚାୟତରେ ଦୀର୍ଘଦିନ ଧରି ଲାଗିରହିଥିବା ମୋବାଇଲ ନେଟୱର୍କ ସମସ୍ୟାର ପ୍ରତିବାଦରେ ସୋମବାର ସକାଳେ ସ୍ଥାନୀୟ ଅଞ୍ଚଳବାସୀ ଫୁଲବାଣୀ–ଖଜୁରୀପଡ଼ା ମୁଖ୍ୟ ସଡ଼କକୁ ଅବରୋଧ କରିଥିଲେ। ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ଚାଲିଥିବା ଏହି ରାସ୍ତାରୋକୋ ଯୋଗୁଁ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀରୁ ମାତ୍ର ୨ରୁ ୩ କିଲୋମିଟର ଦୂରରେ ଥିବା ଗୁଦାରୀ ପଞ୍ଚାୟତରେ ଦୀର୍ଘଦିନ ଧରି ମୋବାଇଲ ନେଟୱର୍କ ବ୍ୟବସ୍ଥା ଅଚଳ ଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା, ମେଡିକାଲ ସେବା,ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା, ସରକାରୀ ଅନଲାଇନ ସେବା ଓ ଦୈନନ୍ଦିନ ଯୋଗାଯୋଗ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଥିବା ସତ୍ତ୍ୱେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଲୋକେ। ଏହାର ପ୍ରତିବାଦରେ ସୋମବାର ସକାଳ ୮ଟାରୁ ପ୍ରାୟ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅଞ୍ଚଳବାସୀ ଫୁଲବାଣୀ–ଭୁବନେଶ୍ୱର ମୁଖ୍ୟ ସଡ଼କ ଅବରୋଧ କରି ଆନ୍ଦୋଳନ କରିଥିଲେ। ଖବର ପାଇ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସେହି ସମୟରେ ଖଜୁରୀପଡ଼ା ବ୍ଲକରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିଥିବାରୁ ବିଡିଓ ବ୍ୟସ୍ତ ଥିବା ବେଳେ ବ୍ଲକର ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିଲେ। ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକୋ ପ୍ରତ୍ୟାହାର କରି ଖଜୁରୀପଡ଼ା ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗପତ୍ର ଦାଖଲ କରିଥିଲେ। ଏହି ଅବସରରେ ଭାରତୀୟ ଦୂରସଞ୍ଚାର ବିଭାଗର ଅଧିକାରୀ ତିନି ମାସ ମଧ୍ୟରେ ସ୍ଥାପନ କରାଯାଇଥିବା ବିଭିନ୍ନ ଅଞ୍ଚଳ ତଥା ଗୁଦାରୀ ଅଞ୍ଚଳର ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଏହି ପ୍ରତିଶ୍ରୁତି ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରିଥିଲେ।