Hot Posts

6/recent/ticker-posts

ଖଜୁରୀପଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ : ୩୪ ଅଭିଯୋଗ ଗ୍ରହଣ

ଖଜୁରୀପଡ଼ା, ୨୮/୦୭ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ପରିସରରେ ସୋମବାର ଜିଲ୍ଲାପାଳ ବେଦଭୂଷଣ, ଆଇଏଏସଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଥମେ 'ଟିଚ୍ କନ୍ଧମାଳ ' ଅଭିଯାନରେ ଶିକ୍ଷାର ବିକାଶ ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳର ଚିହ୍ନଟ କରାଯାଇଥିବା ୧୯ ଗୋଟି ବିଦ୍ୟାଳୟକୁ ଅଧିକାରୀ ମାନେ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହିତ ଭଲପାଠ ପଢି ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ପ୍ରେରଣା ଦାୟକ ବାର୍ତ୍ତା ଦେଇଥିଲେ। ଏହା ସହିତ ବିଦ୍ୟାଳୟ ଗୁଡ଼ିକରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ ମାନଙ୍କୁ ପଚାରି ବୁଝିଥିଲେ।ପରେ ବ୍ଲକ ସଭାଗୃହ ଠାରେ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ତାହାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜନଶୁଣାଣି ଶିବିରରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ପିଏ ଆଇଟିଡିଏ ଯୁଧିଷ୍ଠିର ମେହେର, ଡିଏଫଓ ପ୍ରତାପ କେ., ସିଡିଏମଓ ଡା. ଅଞ୍ଜଳି ଶତପଥୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରାୟ ୫୨ ଜଣ ଅଧିକାରୀ ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା, କୃଷି, ଜଙ୍ଗଲ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସମାଜ ମଙ୍ଗଳ, ଜଳସମ୍ପଦ, ବିଦ୍ୟୁତ, ନେଟୱର୍କ , ବସସେବା,ମିଶନ ଶକ୍ତି, ଶିଶୁ ବିକାଶ, ପଞ୍ଚାୟତିରାଜ, ଯୋଗାଣ, ପଶୁ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଶିବିରରେ ମୋଟ ୩୪ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ୯ ଗୋଟି ଓ ବ୍ୟକ୍ତିଗତ ୨୫ ଗୋଟି ବୋଲି ଜଣାପଡିଛି। ଶିବିରରେ ଆସିଥିବା ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ସମ୍ଭବ ଥିବା ମାମଲାର ସ୍ଥଳରେ ନିଷ୍ପତ୍ତି ନିଆଯାଇଥିବା ବେଳେ, ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲେ। ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ଓ ସ୍ୱଚ୍ଛ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଯୁଗ୍ମ ଜନଶୁଣାଣି ଶିବିରକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିଲେ।