ଖଲ୍ଲିଗଡ଼ ଗାଁରେ ନେଟୱର୍କ ସମସ୍ୟା
କୋକସରା, ୦୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : 'ଡିଜିଟାଲ ଇଣ୍ଡିଆ'ର ସ୍ୱପ୍ନ ଦେଖାଉଛନ୍ତି ସରକାର, କିନ୍ତୁ କଳାହାଣ୍ଡି ଜିଲ୍ଲାର ଏକ ଗାଁରେ ଆଜି ବି ମୋବାଇଲ ନେଟୱର୍କ ଏକ ବଡ଼ ସମସ୍ୟା। ଫୋନ୍ କରିବା କିମ୍ବା ଇଣ୍ଟରନେଟ୍ ବ୍ୟବହାର ପାଇଁ ଲୋକଙ୍କୁ ଗାଁ ବାହାରକୁ ଯିବାକୁ ପଡ଼ୁଛି। ଦେଖନ୍ତୁ ଏହି ରିପୋର୍ଟ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅଧୀନ ଡୁଡକାଥେଙ୍ଗା ଗ୍ରାମପଞ୍ଚାୟତର ଖଲ୍ଲିଗଡ଼ ଗାଁରେ ଦୀର୍ଘଦିନ ଧରି ମୋବାଇଲ ନେଟୱର୍କ ସମସ୍ୟା ଲାଗି ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଫୋନ୍ କରିବା କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଗାଁ ବାହାରକୁ କିମ୍ବା ଉଚ୍ଚ ସ୍ଥାନକୁ ଯିବାକୁ ପଡ଼ୁଛି। ବର୍ଷା ଦିନ ହେଉ କି ରାତି ସମୟ, ଜରୁରୀ ପରିସ୍ଥିତିରେ ଯୋଗାଯୋଗ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି। ନେଟୱର୍କ ଅଭାବରୁ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ା, ସରକାରୀ ଯୋଜନାର ଅନଲାଇନ୍ ଆବେଦନ, ବ୍ୟାଙ୍କିଂ ସେବା, ଡିଜିଟାଲ କାରବାର ଏବଂ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ କିମ୍ବା ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାରେ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ସମସ୍ୟା ନେଇ ବାରମ୍ବାର ସମ୍ପୃକ୍ତ ବିଭାଗ ଓ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ତେଣୁ ଖଲ୍ଲିଗଡ଼ ଗାଁରେ ଶୀଘ୍ର ଏକ ମୋବାଇଲ ଟାୱାର ସ୍ଥାପନ କରି ଉନ୍ନତ ନେଟୱର୍କ ସେବା ଯୋଗାଇବାକୁ ଗ୍ରାମବାସୀ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଗ୍ରାମବାସୀଙ୍କ ଏହି ଦୀର୍ଘଦିନର ସମସ୍ୟାର ସମାଧାନ କେବେ ହେଉଛି ଏହା ଦେଖିବାକୁ ବାକି ରହିଲା
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ