ବାଲେଶ୍ୱର, ୦୩/୦୭ ( ପ୍ରଭାକର ମଲ୍ଲିକ ) : ପାଣି ନିଷ୍କାସନ ନାଳ ଜମିକୁ ଜବର ଦଖଲ କରି ବେଆଇନ ଭାବେ ରାସ୍ତା ଓ ଘର ନିର୍ମାଣ କରିଥିବା ଅଭିଯୋଗରେ ବୁଧବାର ବସ୍ତା ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ଗିଲା ଯୋଡ଼ି ଗ୍ରାମରେ ଥିବା ସରକାରୀ ପାଣି ନିଷ୍କାସନ ନାଳର ପ୍ରାୟ ୧୩ ଡିସମିଲ ଏରିଆକୁ ସେହି ଗ୍ରାମର ବାଇଧର ଜେନାଙ୍କ ପୁଅ ପ୍ରଦୀପ ମାଟି ପକାଇ ପୋତି ଦେଇଥିଲେ। ସେହି ଜାଗାରେ ସେ କଂକ୍ରିଟ ରାସ୍ତା,ଗୁହାଳଘର ପକ୍କାଘର ନିର୍ମାଣ କରିଥିଲେ,ପରେ ସେଠାରେ ବେଆଇନ ଭାବେ ବାଲି ଗଛିତ କରି ଚୋରା ଚାଲାଣ କରୁଥିଲେ।ନାଳ ବନ୍ଦ ହୋଇଯିବାରୁ ବର୍ଷା ଋତୁରେ ଆଖପାଖ ଗାଁର ପାଣି ନିଷ୍କାସନ ହୋଇପାରୁ ନଥିଲା। ଫଳରେ ପ୍ରତିବର୍ଷ ଚାଷ ଜମି ଓ ଘରଦ୍ୱାର ଜଳମଗ୍ନ ହୋଇଯାଉଥିଲା। ଏନେଇ ଗ୍ରାମବାସୀ ବାର ମ୍ବାର ବସ୍ତା ତହସିଲଦାରଙ୍କ ନିକଟରେ ଅଭି ଯୋଗ କରିଆସୁ ଥିଲେ।ଜବରଦଖଲକାରୀଙ୍କୁ ଗତ ୧୫ ଦିନ ପୂର୍ବରୁ ନିଜେ ସେମାନଙ୍କ ନିର୍ମାଣ ଭାଙ୍ଗିବା ପାଇଁ ତହସିଲ ପକ୍ଷରୁ ନୋଟିସ ଜାରି ହୋଇଥିଲା,କିନ୍ତୁ ପ୍ରଦୀପ ତାହା ମାନିନଥିଲେ।ସକାଳେ ବସ୍ତା ଅତିରିକ୍ତ ତହସିଲଦାର ପିଜ୍ୟୁସକାନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋଜ ସେଠି ଓ ସିଂଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜେସିବି ମେସିନ ସାହାଯ୍ୟରେ ବେଆଇନ ରାସ୍ତାକୁ ଖୋଳି ନାଳାକୁ ପୂର୍ବ ଅବସ୍ଥାକୁ ଫେରାଯାଇଛି। ସେହିପରି ବେଆଇନ ସମସ୍ତ ନିର୍ମାଣକୁ ମଧ୍ୟ ଭଙ୍ଗାଯାଇଛି। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ପ୍ରାୟ ୧୩ ଡିସମିଲ ସରକାରୀ ଜମି ଉଦ୍ଧାର ହୋଇଛି।ଉଚ୍ଛେଦ ପରେ ଗ୍ରାମବାସୀ ତହସିଲ ପ୍ରଶା ସନକୁ କୃତଜ୍ଞତା ଜଣାଇଛନ୍ତି। ଗ୍ରାମବାସୀ କହିଛନ୍ତି ଦୀର୍ଘ ବର୍ଷ ହେଲା ଆମ ଜମିରେ ପାଣି ଅଟକି ରହୁଥିଲା, ଏବେ ନାଳ ଖୋଲି ଯିବାରୁ ଆଉ ଆମ ଫସଲ ନଷ୍ଟ ହେବନାହିଁ କି ଯିବା ଆସିବାରେ ଅସୁବିଧା ହେବନି। ବସ୍ତା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି, ସରକାରୀ ନାଳ, ଗୋଚର, ଅନାବାଦି ଓ ଜଳାଶୟ ଜମିକୁ କେହି ଜବରଦଖଲ କରିପାରିବେ ନାହିଁ।ବସ୍ତା ଅଞ୍ଚଳରେ ଯେଉଁଠି ବି ଏଭଳି ଅଭିଯୋଗ ଆସିବ, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ଯିବ।ଉକ୍ତ ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲାl
ବାଲେଶ୍ୱର ଜିଲ୍ଳାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
