ମାଝୀଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ଅନୁଷ୍ଠିତ
ଝରିଗାଁ, ୨୮/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମାଝୀଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାଝୀଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସି ଚୈତନ୍ୟ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଝୀଗୁଡ଼ା, କାପସାକୁଟାଲି, ହଳଦୀଗୁଡ଼ା, ପକୋନାଗୁଡ଼ା, ଦୁବିଆ, ଛୋଟାଗୁଡ଼ା, ଟୁଟିଗୁଡ଼ା ଓ ବରାଯୋଡ଼ି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭିନ୍ନ ବିଷୟଭିତ୍ତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନୀରେ ସତ୍ୟଭାମା ଭତରା, ନଳିନୀ ବରିହା, ରେବତୀ ବିଶ୍ୱାସ, ତୁଳସୀ ଭତରା, ମୋହନ ମାଝୀ, ଦଶା ମାଝୀ, ରୂପଧର ଗଣ୍ଡ, ସରସ୍ୱତୀ ଭତରା, ଅର୍ପିତା ଦାସ, ସନ୍ତର ମାଝୀ, ଦୈତାରି ହରିଜନ ଓ ପ୍ରଦୀପ ମଣ୍ଡଳ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ନିଜ ନିଜର ସୃଜନଶୀଳ ଶିକ୍ଷଣ ସାମଗ୍ରୀ ଉପସ୍ଥାପନ କରିଥିଲେ। ଶିକ୍ଷାଦାନକୁ ଅଧିକ ସହଜ, ଆକର୍ଷଣୀୟ ଓ ଫଳପ୍ରଦ କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷଣ ପ୍ରତି ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ସିଆରସି ଚୈତନ୍ୟ ମାଝୀ ପ୍ରକାଶ କରିଥିଲେ। ପ୍ରଦର୍ଶନୀରେ ୟୁଜିଏସଏଚ୍ ଡଙ୍ଗରିଗୁଡ଼ା ପ୍ରଥମ ସ୍ଥାନ, ମାଝୀଗୁଡ଼ା ଏନ୍ପିଏସ୍ ଦ୍ୱିତୀୟ ସ୍ଥାନ ଏବଂ ଛୋଟାଗୁଡ଼ା ଏନ୍ପିଏସ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରାର ଆଦାନ-ପ୍ରଦାନ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିରେ ସହାୟକ ହେବ ବୋଲି ଉପସ୍ଥିତ ଶିକ୍ଷାବିତ୍ମାନେ ମତ ପ୍ରକାଶ କରିଥିଲେ।