ଏଲଆଣ୍ଡଟି କ୍ୟାମ୍ପରେ ଅଘଟଣ, ପାଇପ ତଳେ ଚାପି ହୋଇ କର୍ମଚାରୀ ଗୁରୁତର
କୋକସରା, ୦୯/୦୭ ( ବିଷ୍ଣୁ ଚରଣ ସ୍ବାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟିସ୍ଥିତ ଏଲଆଣ୍ଡଟି ମେଗାଲିଫ୍ଟ ପାନୀୟ ଜଳ ପ୍ରକଳ୍ପ କ୍ୟାମ୍ପରେ ଘଟିଛି ଏକ ଅଘଟଣ। କ୍ୟାମ୍ପ ପରିସରରେ ଗଚ୍ଛିତ ଥିବା ପାଇପ ଲାଇନ ତଳେ ଚାପି ହୋଇ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସହକର୍ମୀମାନେ ଉଦ୍ଧାରରେ ବିଫଳ ହେବା ପରେ କୋକସରା ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରେ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ଡାକ୍ତରଖାନା ଏବଂ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, କୁସୁମଖୁଣ୍ଟିଠାରେ ଥିବା ଏଲଆଣ୍ଡଟି ମେଗାଲିଫ୍ଟ ପାନୀୟ ଜଳ ପ୍ରକଳ୍ପ କ୍ୟାମ୍ପରେ କାର୍ଯ୍ୟ ଚାଲିଥିବା ବେଳେ କ୍ୟାମ୍ପ ପରିସରରେ ଗଚ୍ଛିତ ପାଇପ ଲାଇନ ତଳେ ଜଣେ କର୍ମଚାରୀ ଚାପି ହୋଇଯାଇଥିଲେ। ଘଟଣା ଦେଖି ସହକର୍ମୀମାନେ ତୁରନ୍ତ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇନଥିଲେ। ପରେ କୋକସରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଆହତ କର୍ମଚାରୀ ଜଣକ ରାଜସ୍ଥାନର ଭରତପୁର ଅଞ୍ଚଳର ନଦୀମ ଖାଁ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି।