Hot Posts

6/recent/ticker-posts

ଖନାତରା ମାଲପଡ଼ାରେ ସମୁଦ୍ର ସଦୃଶ ସ୍ଥିତି, ପାଣିରେ ବୁଡ଼ିଲା ଘରଦ୍ୱାର, ପ୍ରଶାସନ ଉପରେ ଲୋକଙ୍କ ଅସନ୍ତୋଷ

ଧର୍ମଗଡ଼, ୧୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ତମ୍ବାଛଡା ପୋଷ୍ଟ ଅନ୍ତର୍ଗତ ଖନାତରା ମାଲପଡ଼ାରେ ବର୍ଷା ଆସିଲେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଛି। ଘରଦ୍ୱାରରେ ପାଣି ପଶିଯାଉଛି, ରାସ୍ତାଘାଟ ବୁଡ଼ିଯାଉଛି ଏବଂ ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପାଣି ନିଷ୍କାସନ ବ୍ୟବସ୍ଥା ବନ୍ଦ ହୋଇଥିବାରୁ ପ୍ରତିବର୍ଷ ଏହି ସମସ୍ୟା ଦେଖାଦେଉଛି। ଜିଲ୍ଲାପାଳଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ। ଆପଣମାନେ ଯେଉଁ ଦୃଶ୍ୟ ଦେଖୁଛନ୍ତି, ଏହା କୌଣସି ନଦୀ କିମ୍ବା ପୋଖରୀ ନୁହେଁ। ଏହା ହେଉଛି ଧର୍ମଗଡ଼ ବ୍ଲକର ଖନାତରା ମାଲପଡ଼ା। ସାମାନ୍ୟ ବର୍ଷା ହେଲେ ସମଗ୍ର ପଡ଼ା ସମୁଦ୍ର ସଦୃଶ ଦେଖାଯାଏ। ଘର ଭିତରେ ଆଣ୍ଠୁଏ ପାଣି ଜମିଯାଉଛି, ଆଙ୍ଗନ ବୁଡ଼ିଯାଉଛି ଏବଂ ରାସ୍ତାଘାଟର ଚିହ୍ନବର୍ଣ୍ଣ ମଧ୍ୟ ରହୁନାହିଁ। ଲୋକେ ଘରୁ ବାହାରି ପାରୁନାହାନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ା, ବୃଦ୍ଧବୃଦ୍ଧାଙ୍କ ଯାତାୟାତ ଓ ରୋଗୀଙ୍କୁ ହସ୍ପିଟାଲ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଏଠାରେ ଏକ କଲଭର୍ଟ ଥିଲା। ସେହି କଲଭର୍ଟ ଦେଇ ବର୍ଷାର ପାଣି ସହଜରେ ନିଷ୍କାସନ ହେଉଥିଲା। କିନ୍ତୁ ପ୍ରାୟ ଦୁଇ ବର୍ଷ ତଳେ PWD ପକ୍ଷରୁ ନୂଆ ରାସ୍ତା ନିର୍ମାଣ ପରେ ଜଣେ ବ୍ୟକ୍ତି ନିଜ ଜମି ପଡ଼ୁଥିବା ଦର୍ଶାଇ ସେହି କଲଭର୍ଟକୁ ମାଟି ପକାଇ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ସେବେଠାରୁ ପାଣି ବାହାରିବାର ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ସମସ୍ତ ବର୍ଷାଜଳ ମାଲପଡ଼ାରେ ଜମି ରହୁଛି ଏବଂ ସମଗ୍ର ଅଞ୍ଚଳ ଜଳମଗ୍ନ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ନୂଆ ନୁହେଁ। ପ୍ରତିବର୍ଷ ବର୍ଷା ଆସିଲେ ସମାନ ସ୍ଥିତି ସୃଷ୍ଟି ହୁଏ। ଧର୍ମଗଡ଼ ତହସିଲ, ବ୍ଲକ ପ୍ରଶାସନ, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରୁନାହାନ୍ତି, ବୃଦ୍ଧ ଓ ମହିଳାମାନେ ଘରୁ ବାହାରିବାକୁ ଅସୁବିଧା ଭୋଗୁଛନ୍ତି। ସାପ, ପୋକମାକଡ଼ର ଭୟ ସହିତ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନ ସମୟ ଥିବାବେଳେ ବନ୍ଦ ହୋଇଥିବା କଲଭର୍ଟକୁ ଖୋଲିଥାନ୍ତା, ତେବେ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇନଥାନ୍ତା। ଏବେ ଲୋକେ ନିଜ ଘରେ ରହି ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛନ୍ତି। ବର୍ଷା ଆହୁରି ବଢ଼ିଲେ ପରିସ୍ଥିତି ଅଧିକ ଭୟଙ୍କର ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଜରିଆରେ ଅଞ୍ଚଳବାସୀ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ, ତୁରନ୍ତ ଘଟଣାସ୍ଥଳକୁ ଅଧିକାରୀ ପଠାଇ ପରିସ୍ଥିତିର ଅନୁଧ୍ୟାନ କରାଯାଉ। ବନ୍ଦ ହୋଇଥିବା ପାଣି ନିଷ୍କାସନ ବ୍ୟବସ୍ଥାକୁ ପୁନଃ ଚାଲୁ କରାଯାଇ ସ୍ଥାୟୀ ସମାଧାନ କରାଯାଉ, ଯାହାଦ୍ୱାରା ଆଗାମୀ ଦିନରେ ବର୍ଷା ଆସିଲେ ଏପରି ସମସ୍ୟାର ପୁନରାବୃତ୍ତି ନ ହେଉ। ତେବେ ପ୍ରଶ୍ନ ଉଠୁଛି, ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କାହିଁକି ନୀରବ? ଖନାତରା ମାଲପଡ଼ାର ଲୋକେ କେବେ ଏହି ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବେ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।