Hot Posts

6/recent/ticker-posts

ଲଗାଣ ବର୍ଷାର ପ୍ରକୋପ, କଟିମାହା ଗ୍ରାମରେ ଭୁଶୁଡ଼ିଲା ମାଟିଘର, ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ଝିଅ

ଟିକାବାଲି, ୧୭/୦୭
( ବାଳକୃଷ୍ଣ କହଁର ) : ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏକ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାର। ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଟିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟିମାହା ତଳ ସାହିର କରୁଣାକର କହଁର ଙ୍କ ମାଟିଘର ଗୁରୁବାର ଦିନବେଳା ହଠାତ୍‌ ଭାଙ୍ଗି ପଡ଼ିଛି। ଘରଟି ଭାଙ୍ଗିବା ସମୟରେ କରୁଣାକର ଙ୍କ ପତ୍ନୀ ଓ ତାଙ୍କର ଦୁଇ ଝିଅ ଘର ଭିତରେ ହିଁ ଉପସ୍ଥିତ ଥିଲେ। ତେବେ ସୌଭାଗ୍ୟବଶତଃ କାନ୍ଥ ଭୁଶୁଡ଼ିବା ମାତ୍ରେ ସେମାନେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲେ।ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ରୁ ମାଆ ଓ ଦୁଇ ଝିଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବର୍ତ୍ତମାନ ସେମାନଙ୍କର ବାସଗୃହଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବାରୁ ପରିବାରଟି ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଏତେ ବଡ଼ ଅଘଟଣ ଘଟିଯାଇଥିଲେ ମଧ୍ୟ ସ୍ଥାନୀୟ ସରକାରୀ ଅଧିକାରୀ କିମ୍ବା ରାଜସ୍ୱ ବିଭାଗ ପାଖରେ ଏ ସମ୍ପର୍କରେ କୌଣସି ସୂଚନା ନଥିବା ଦେଖିବାକୁ ମିଳିଛି। ପ୍ରଶାସନର ଏଭଳି ଅଣଦେଖାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପରିବାର ଟି ସର୍ବସ୍ୱ ହରାଇ ଅସହାୟ ଅବସ୍ଥାରେ ଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ଘଟଣାସ୍ଥଳ କୁ ଯାଇ ତଦନ୍ତ କରାଯାଇ ବିପନ୍ନ ପରିବାରକୁ ସରକାରୀ ସହାୟତା ଓ ପଲିଥିନ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

କନ୍ଧମାଳ ରୁ ଜିଲ୍ଲା ପ୍ରତନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ