ସେଲ୍ଫି ନେବା ବେଳେ ଅଘଟଣ, ଜଳପ୍ରପାତରୁ ଖସି ଯୁବକଙ୍କ ମୃତ୍ୟୁ
ଆମପାଣି, ୦୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଆମପାଣି ଥାନା ଅନ୍ତର୍ଗତ ଡୋକ୍ରିଚଞ୍ଚରା ଜଳପ୍ରପାତରେ ଘଟିଛି ଏକ ଦୁଃଖଦ ଅଘଟଣ। ସେଲ୍ଫି ନେଉଥିବା ବେଳେ ପାଦ ଖସି ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଛତିଶଗଡ଼ର ଦେଭୋଗ ଅଞ୍ଚଳ କର୍ଲାଗୁଡା ଗ୍ରାମର ଲୋକେଶ ଦୌରିଆ। ସୂଚନା ଅନୁସାରେ, ସେ ସାଙ୍ଗମାନଙ୍କ ସହ ଡୋକ୍ରିଚଞ୍ଚରା ଜଳପ୍ରପାତ ବୁଲିବାକୁ ଆସିଥିଲେ। ସେଲ୍ଫି ନେବା ବେଳେ ହଠାତ୍ ପାଦ ଖସିଯିବାରୁ ସେ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ଆମପାଣି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ