ଡାକ୍ତର ସଂଘ 'ଓମ୍ସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ: କଳାହାଣ୍ଡିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟ
କଳାହାଣ୍ଡି, ୦୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA) ପକ୍ଷରୁ ୧୦ ଦଫା ଦାବି ନେଇ ଚାଲିଥିବା ରାଜ୍ୟବ୍ୟାପୀ ଆନ୍ଦୋଳନର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ସରକାରୀ ଡାକ୍ତରମାନେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରି ଭବାନୀପାଟଣାସ୍ଥିତ CDMO କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। OMSAର ୧୦ ଦଫା ଦାବି ପୂରଣ ଦାବିରେ କଳାହାଣ୍ଡିର ସରକାରୀ ଡାକ୍ତରମାନେ କାର୍ଯ୍ୟବନ୍ଦ କରି CDMO କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଏହାର ପ୍ରଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର OPD ସେବା ପ୍ରାୟ ଠପ୍ ହୋଇଯାଇଛି। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ଡାକ୍ତର ନ ପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି, ସେମାନଙ୍କ ୧୦ ଦଫା ଦାବି ଦୀର୍ଘଦିନ ଧରି ଅଣଦେଖା କରାଯାଉଥିବାରୁ ସେମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନର ପଥ ବାଛିଛନ୍ତି। ସରକାର ସକାରାତ୍ମକ ପଦକ୍ଷେପ ନେଲେ ଆନ୍ଦୋଳନ ପ୍ରତ୍ୟାହାର ନେଇ ବିଚାର କରାଯିବ ବୋଲି ସେମାନେ କହିଛନ୍ତି। ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରେକୃଷ୍ଣ ଶତପଥି କହିଛନ୍ତି, ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ସତ୍ତ୍ୱେ ଜରୁରୀ ସ୍ୱାସ୍ଥ୍ୟସେବାକୁ ବଜାୟ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କେବଳ କାଜୁଆଲଟି ଏବଂ ଜରୁରୀ ଚିକିତ୍ସା ସେବା ଜାରି ରହିଛି। ତେବେ ଆନ୍ଦୋଳନ ଦୀର୍ଘସ୍ଥାୟୀ ହେଲେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ପ୍ରଭାବ ପଡ଼ିପାରେ।