ଭବାନୀପାଟଣା, ୦୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ପାଇଁ ଗର୍ବର ମୁହୂର୍ତ୍ତ। ବିଶ୍ୱ ଯୁବ ପାରା କ୍ରୀଡ଼ା ପ୍ରତିଯୋଗିତାରେ ମେଡାଲ୍ ଜିତି ଦେଶ ଓ ରାଜ୍ୟର ଗୌରବ ବଢ଼ାଇଥିବା ପାରା-ଆଥଲେଟ୍ ଆକାଶ ମୁଣ୍ଡଙ୍କୁ ଭବାନୀପାଟଣାରେ ଭବ୍ୟ ସ୍ୱାଗତ କରାଯାଇଛି। ନିଜ ସହରକୁ ଫେରିବା ପରେ ସେ ମା' ମାଣିକେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ବିଶ୍ୱ ଯୁବ ଚାମ୍ପିୟନସିପ୍‌ (World Abilitysport Youth Games)ରେ ମେଡାଲ୍ ଜିତି କଳାହାଣ୍ଡିର ନାଁକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବା ପାରା-ଆଥଲେଟ୍ ଆକାଶ ମୁଣ୍ଡ ଭବାନୀପାଟଣା ପହଞ୍ଚିବା ପରେ କଲେଜ ଛକଠାରେ ଶତାଧିକ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଫୁଲମାଳା ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ସେ ମା' ମାଣିକେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତାରେ ଆକାଶ କହିଛନ୍ତି, ଭବାନୀପାଟଣା ଭଳି ସହରରୁ ଯାଇ ଆନ୍ତର୍ଜାତୀୟ ସ୍ତରରେ ମେଡାଲ୍ ଜିତିବା ସହଜ ନଥିଲା। କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ତାଙ୍କୁ ଏହି ସଫଳତା ଦେଇଛି। ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପାରାଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରି ପଦକ ଜିତିବା। ସହରବାସୀଙ୍କ ଭଲପାଇବା ଓ ସମ୍ମାନ ତାଙ୍କୁ ଆହୁରି ଉତ୍ସାହିତ କରିଥିବା ସେ କହିଛନ୍ତି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ