କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ
କଳାହାଣ୍ଡି, ୩୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ରେଳ ଷ୍ଟେସନରେ ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ଅଘଟଣ। ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ହଠାତ୍ ନିଆଁ ଲାଗିଥିଲା। ଖବର ପାଇବା ପରେ ରେଳ ବିଭାଗ ଟ୍ରେନକୁ ନର୍ଲା ରୋଡ଼ ଷ୍ଟେସନରେ ଅଟକାଇଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାରେ କୌଣସି ଜୀବନହାନିର ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ୱାଗନରେ ହଠାତ୍ ନିଆଁ ଲାଗିଥିଲା। ଘଟଣା ଜଣାପଡ଼ିବା ପରେ ରେଳ ବିଭାଗ ତୁରନ୍ତ ସତର୍କତା ଅବଲମ୍ବନ କରି ଟ୍ରେନକୁ ନର୍ଲା ରୋଡ଼ ରେଳ ଷ୍ଟେସନରେ ଅଟକାଇଥିଲା। ଖବର ପାଇ ନର୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ