Hot Posts

6/recent/ticker-posts

ସିନାପାଲି ବ୍ଲକରେ ବିଭିନ୍ନ ପ୍ରକାର ସାର ଚଢ଼ା ଦରରେ ବିକ୍ରି ଅଭିଯୋଗ, ଚାଷୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ନୂଆପଡ଼ା, ୧୧/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକର ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ୟୁରିଆ, ଡିଏପି (DAP), ପଟାସ, ଏନ୍‌ପିକେ (NPK) ସମେତ ବିଭିନ୍ନ ପ୍ରକାର ରାସାୟନିକ ସାର ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଅଭିଯୋଗ ଚାଷୀଙ୍କ ପକ୍ଷରୁ ଉଠିଛି। ବର୍ତ୍ତମାନ ଧାନ ଚାଷ ଋତୁ ଚାଲିଥିବାରୁ ସାରର ଚାହିଦା ବହୁଗୁଣ ବୃଦ୍ଧି ପାଇଛି। ଏହି ସୁଯୋଗର ଫାଇଦା ଉଠାଇ କେତେକ ସାର ବିକ୍ରେତା ଚଢ଼ା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହେଉଛି। ଚାଷୀମାନଙ୍କ କହିବା ଅନୁସାରେ, ସରକାର ନିର୍ଦ୍ଧାରଣ କରିଥିବା ମୂଲ୍ୟରେ ସାର ମିଳିବା କଥା ଥିଲେ ମଧ୍ୟ କେତେକ ସ୍ଥାନରେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ୁଛି। କେତେକ ଚାଷୀଙ୍କ ଅଭିଯୋଗ ଯେ, ବିଲ୍ ନଦେଇ ଅଧିକ ଦର ଆଦାୟ କରାଯାଉଛି। ଫଳରେ ଚାଷ ପାଇଁ ପୂର୍ବରୁ ବଢ଼ିଥିବା ଖର୍ଚ୍ଚ ମଧ୍ୟରେ ସାରର ଅତିରିକ୍ତ ଦର ସେମାନଙ୍କ ଉପରେ ଅଧିକ ଆର୍ଥିକ ବୋଝ ସୃଷ୍ଟି କରୁଛି। ଚାଷୀମାନେ କହିଛନ୍ତି ଯେ, ସାରର କୃତ୍ରିମ ଅଭାବ ସୃଷ୍ଟି କରି କିମ୍ବା ଚାହିଦାକୁ ଆଳ କରି କେହି ଯଦି ଅଧିକ ଦର ଆଦାୟ କରୁଛନ୍ତି, ତେବେ ଏହା ଉପରେ କୃଷି ବିଭାଗ ତୁରନ୍ତ ନଜର ଦେବା ଆବଶ୍ୟକ। ବିକ୍ରୟ କେନ୍ଦ୍ରଗୁଡ଼ିକରେ ହଠାତ୍ ଯାଞ୍ଚ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରାଯାଉ ଏବଂ ଯଦି କୌଣସି ଅନିୟମିତତା ଧରାପଡ଼େ, ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ। ସ୍ଥାନୀୟ ବୁଦ୍ଧିଜୀବୀ ଓ ଚାଷୀ ସଂଗଠନମାନେ ମଧ୍ୟ କହିଛନ୍ତି ଯେ, ଚାଷୀଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ସାର ମିଳିବା ସୁନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ। ସେଥିପାଇଁ ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ମୂଲ୍ୟ ତାଲିକା ପ୍ରଦର୍ଶନ, ବିଲ୍ ପ୍ରଦାନ ଏବଂ ନିୟମିତ ତଦାରଖ କରାଗଲେ ଏଭଳି ଅଭିଯୋଗ ଉପରେ ଅଙ୍କୁଶ ଲାଗିପାରିବ।