Hot Posts

6/recent/ticker-posts

ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଯାଜପୁର, ୨୮/୦୭ ( ନିରୋଜ କୁମାର ସେଠୀ ) : ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସୁଦ୍ଧା ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ, ବିଶେଷ କରି ଯାଜପୁର, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ଅଞ୍ଚଳ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଳିଆ ଅଂଚଳ ଓ ବନ୍ୟା ପ୍ରବଣ ଅଞ୍ଚଳର ଲୋକଙ୍କୁ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳ ସ୍କୁଲଗୁଡ଼ିକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସେଠାରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ବ୍ଲକ ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିବରଣୀ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପଠାଯିବ। ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଚୁଡ଼ା, ଗୁଡ଼ ଓ ପଲିଥିନ୍ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି, ଗର୍ଭବତୀ ମହିଳାଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ନିରାପଦ ସ୍ଥାନ/ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ସମସ୍ତ ଡାକ୍ତରଖାନାରେ ସାପ କାମୁଡ଼ା ଔଷଧ, ଓଆରଏସ , ବ୍ଲିଚିଂ ପାଉଡର ଓ କ୍ଲୋରିନ୍ ଟାବଲେଟ୍ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ୍ରାଫ (ODRAF) ଟିମ୍ ମୁତୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଜଳ ବିଶୁଦ୍ଧିକରଣ ଦାୟିତ୍ୱ ଦିଆଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଗୋଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିବାରୁ DEO, BEO, CRCC ଓ ପ୍ରଧାନଶିକ୍ଷକମାନେ ଉପସ୍ଥିତ ରହିବେ। ବର୍ଷା ଯୋଗୁଁ କୃଷି ଫସଲର କ୍ଷତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ କୃଷି ଅଧିକାରୀଙ୍କୁ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସମସ୍ତ BDO, ତହସିଲଦାର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ଯୋଗାଣ ଅଧିକାରୀ , ଅଧିକ୍ଷଣ ଯନ୍ତ୍ରୀ ଜଳସମ୍ପଦ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।