ସନାତନ ନନ୍ଦଙ୍କ ଆଦର୍ଶ ଚିରସ୍ମରଣୀୟ: ଗୌତମ ରାୟ
ବାଲେଶ୍ୱର , ୨୭/୦୭ (ପ୍ରଦୀପ କୁମାର ମଲ୍ଲିକ) : ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ସଂଗଠକ ସ୍ୱର୍ଗତ ସନାତନ ନନ୍ଦଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପିର ବାଲେଶ୍ୱର ଜିଲା ପ୍ରଭାରୀ ଗୌତମ ରାୟ ଯୋଗଦେଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଥିଲେ। ସେ କହିଥିଲେ ଯେ, ସ୍ୱର୍ଗତ ସନାତନ ନନ୍ଦ ଜଣେ ଦୂରଦର୍ଶୀ ସଂଗଠକ, ନିଷ୍ଠାବାନ କର୍ମୀ ଏବଂ ସମାଜଜୀବନ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଥିଲେ। ସଂଗଠନର ବିକାଶ, ସାଂସ୍କୃତିକ ଚେତନାର ପ୍ରସାର ଓ ସମାଜରେ ଏକତା ସ୍ଥାପନ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଶ୍ରୀ ରାୟ କହିଥିଲେ, ସନାତନ ନନ୍ଦ ନିଜ ଜୀବନକୁ ସଂଗଠନ ଓ ସମାଜସେବା ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ସରଳତା, ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା ଏବଂ ମାନବିକ ମୂଲ୍ୟବୋଧ ଯୁବପିଢ଼ି ପାଇଁ ଆଦର୍ଶ ସୃଷ୍ଟି କରିଛି। ତାଙ୍କ ଜୀବନାଦର୍ଶକୁ ଅନୁସରଣ କରି ସମାଜସେବାର ପଥରେ ଆଗେଇ ଯିବା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ ମତ ପ୍ରକାଶ କରିଥିଲେ। ବାଲେଶ୍ଵର ଜିଲାର ନୀଳଗିରି ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପିର ଆଗ ଧାଡ଼ି ନେତା, ସମାଜ ସେବୀ ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ। ବିଜେପିର ଜିଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦଙ୍କ ପିତା ସନାତନ ଜଣେ ସ୍ନେହୀ, ଅମାୟିକ ସ୍ୱଭାବର ମଣିଷ ଥିଲେ ବୋଲି ଶ୍ରୀ ରାୟଙ୍କ ସମେତ ଅନ୍ୟ ମାନେ କହିଥିଲେ।ସଭାରେ ଉପସ୍ଥିତ ବକ୍ତାମାନେ ମଧ୍ୟ ସ୍ୱର୍ଗତ ସନାତନ ନନ୍ଦଙ୍କ ସଂଗଠନ ପ୍ରତି ଅବଦାନ, ସେବାଭାବ ଓ ବ୍ୟକ୍ତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଥିଲା।