Hot Posts

6/recent/ticker-posts

ଭଞ୍ଜନଗର ଉପଖଣ୍ଡରେ ୮୦ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ଭଞ୍ଜନଗର, ୨୭/୦୭ ( ଜେ. କେ ପଟ୍ଟନାୟକ ) : ଆସନ୍ତା ୮୦ତମ ସ୍ୱାଧୀନତା ଦିବସ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଞ୍ଜନଗର ଜେଲ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ। ଶାନ୍ତି, ଶୃଙ୍ଖଳା ଓ ସମନ୍ୱୟର ସହିତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହ ସମସ୍ତ ପ୍ରସ୍ତୁତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ୫.୩୦ ସମୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରାମଧୂନ ପରିବେଷଣ କରାଯିବ। ସକାଳ ୭ଟା ୩୦ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସକାଳ ୯ଟା ୧୫ ମିନିଟରେ ଭଞ୍ଜନଗର ଜେଲ ପଡ଼ିଆରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ।  ଏହାବ୍ୟତୀତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ଏବଂ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଚିଦାନନ୍ଦ କୁଷ୍ଠାଶ୍ରମ ତଥା ତନରଡ଼ା ସ୍ଥିତ ଜରାଶ୍ରମ ଗୁଡ଼ିକରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ଏହି ବୈଠକରେ ଉପଖଣ୍ଡ ପୋଲିସ ଅଧିକାରୀ ଡ. ଦୀପକ କୁମାର ମିଶ୍ର, ସହକାରି ଉପଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର ଅଭିଷ୍ପା ପଟ୍ଟନାୟକ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ, ବଣିକ ସଂଘର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ପ୍ରାକ୍ତନ ଗ୍ରନ୍ଥାଗାରିକ ପ୍ରଦୀପ କୁମାର ପାତ୍ର ଏବଂ ପଦ୍ମଚରଣ ନାୟକ ସହଯୋଗ କରିଥିଲେ।