Hot Posts

6/recent/ticker-posts

ରାୟଗଡ଼ାରେ ୯ ହଜାର ହିତାଧିକାରୀଙ୍କ ସାମାଜିକ ସୁରକ୍ଷା ଭତ୍ତା ବନ୍ଦ ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର

ରାୟଗଡ଼ା, ୦୯/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ସାମାଜିକ ସୁରକ୍ଷା ଭତ୍ତା ବନ୍ଦ ହୋଇଥିବା ଅଭିଯୋଗକୁ ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଛି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଜନତା ଦଳ ନେତା ପି. ଗୌରୀଶଙ୍କର ରାଓଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଥିଲେ। ଅଭିଯୋଗ ଅନୁଯାୟୀ, ରାୟଗଡ଼ା ଜିଲ୍ଲାରେ ପ୍ରାୟ ୯ ହଜାର ହିତାଧିକାରୀଙ୍କ ସାମାଜିକ ସୁରକ୍ଷା ଭତ୍ତା ବନ୍ଦ ହୋଇଥିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାସିକ ୧,୦୦୦ ଟଙ୍କା ଭତ୍ତା ଉପରେ ନିର୍ଭରଶୀଳ ଅନେକ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତି ଔଷଧ, ଖାଦ୍ୟ ଏବଂ ଅନ୍ୟାନ୍ୟ ନିତ୍ୟାବଶ୍ୟକ ଖର୍ଚ୍ଚ ବହନ କରିବାରେ ଅସୁବିଧା ଭୋଗୁଥିବା କୁହାଯାଇଛି। ଏହାସହ ଭତ୍ତା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବାରମ୍ବାର ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଥିବାରୁ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଯାତାୟାତ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ୁଛି ବୋଲି ଅଭିଯୋଗ ହୋଇଛି। ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କୁ ଏହି ମାନବିକ ସମସ୍ୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯଥାଶୀଘ୍ର ଭତ୍ତା ପୁନଃ ଚାଲୁ କରିବା ଓ ପୀଡ଼ିତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।