ଜମି, ଜଙ୍ଗଲ ଓ ଜୀବିକା ସୁରକ୍ଷା ଦାବିରେ ସିଜିମାଳିରେ ବଢ଼ିଲା ବିରୋଧ
ରାୟଗଡ଼ା, ୨୫/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ପରିବେଶ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି। କମ୍ପାନୀ ସ୍ୱାର୍ଥ ପାଇଁ ପ୍ରଶାସନ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାରି ଭିତରେ ଓଡ଼ିଶା ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବା ବେଳେ ଘଟଣାର ଅନୁଧ୍ୟାନ ପାଇଁ ପହଞ୍ଚିଛି ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ। ଦଳର ନେତୃତ୍ୱ ନେଉଥିବା ଓଡ଼ିଶା ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତି କହିଛନ୍ତି, ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଥିବା କମ୍ପାନୀର କାର୍ଯ୍ୟକଳାପର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ସ୍ଥାନୀୟ ଲୋକଙ୍କୁ ଜମି ଅଧିଗ୍ରହଣର ଉଦ୍ଦେଶ୍ୟ ଓ ପ୍ରକ୍ରିୟା ସମ୍ପର୍କରେ ପର୍ଯ୍ୟାପ୍ତ ସୂଚନା ଦିଆଯାଇ ନଥିବାରୁ ସନ୍ଦେହ ଓ ଅସନ୍ତୋଷ ବଢ଼ୁଛି ବୋଲି ସେ କହିଛନ୍ତି। ସରକାର ଲୋକଙ୍କ କଥା ଶୁଣି ସ୍ୱଚ୍ଛ ଭାବେ ପଦକ୍ଷେପ ନେବାକୁ ସେ ଆହ୍ୱାନ କରିଛନ୍ତି। କେବଳ ଜମି ଅଧିଗ୍ରହଣ ନୁହେଁ, ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଧମକ ଦିଆଯାଉଥିବା ଗୁରୁତର ଅଭିଯୋଗ ମଧ୍ୟ ଉଠିଛି। କମ୍ପାନୀକୁ ଜମି ନ ମିଳିଲେ ଆଗକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ଅଞ୍ଚଳର ବାସିନ୍ଦା। ସେମାନଙ୍କ ଦାବି, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଜମିର ଭବିଷ୍ୟତ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ସ୍ଥାନୀୟ ଲୋକଙ୍କ ହାତରେ ରହୁ। ସିଜିମାଳିର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଶିଷ୍ଟ ସମାଜସେବୀ ଓ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା। ତାଙ୍କ କହିବା ଅନୁସାରେ, କ୍ରିଷ୍ଣା ମହାନ୍ତି, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ କୃଷକ ନେତା ଲିଙ୍ଗରାଜଙ୍କୁ ନେଇ ଗଠିତ ଦଳ ପ୍ରଭାବିତ ଗାଁଗୁଡ଼ିକ ବୁଲି ଲୋକଙ୍କ ଅଭିଯୋଗ ଶୁଣିବା ସହ ପ୍ରକୃତ ପରିସ୍ଥିତିର ତଥ୍ୟ ସଂଗ୍ରହ କରୁଛି। ଅନୁସନ୍ଧାନ ପରେ ଏହି ଦଳ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ। ଏହାରି ଭିତରେ ସିଜିମାଳିରେ ଜଙ୍ଗଲ, ଜମି ଓ ଜୀବିକା ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ଆହୁରି ଗଭୀର ହୋଇଥିବା ବେଳେ ସେମାନଙ୍କ ସ୍ୱରକୁ ଗୁରୁତ୍ୱ ଦେବାକୁ ପରିବେଶ କର୍ମୀମାନେ ଦାବି କରିଛନ୍ତି। ସିଜିମାଳିରେ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏପଟେ ସ୍ଥାନୀୟ ଲୋକ ଜମି ଓ ଜଙ୍ଗଲ ସୁରକ୍ଷାର ଦାବିରେ ଅଟଳ ଥିବା ବେଳେ ସେପଟେ ତଥ୍ୟ ଅନୁସନ୍ଧାନକାରୀ ଦଳର ରିପୋର୍ଟ ଏବଂ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।