ଅବକାରୀ ଚଢ଼ାଉ: ୨୮ ଶହ କେଜି ମହୁଲ ପୋଚ ସହ ହାତରନ୍ଧା ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ନଷ୍ଟ
ଧର୍ମଗଡ଼, ୧୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଲିଗଡ଼ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ନାଲା ନିକଟରେ ଚଢ଼ାଉ କରି ୨୮୦୦ କେଜି ମହୁଲ ପୋଚ, ୧୦୦ ଲିଟର ହାତରନ୍ଧା ମଦ ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇ ପରେ ନଷ୍ଟ କରାଯାଇଛି। ତେବେ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ମଦ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଅଞ୍ଚଳରେ ଦେଶୀ ମଦର ଅବୈଧ କାରବାର ବୃଦ୍ଧି ପାଉଥିବାରୁ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଶନିବାର କୋକସରା ଅବକାରୀ ଥାନାର ଏକ ସ୍ୱତନ୍ତ୍ର ଟିମ୍ ଡୁଡୁକାଠେଙ୍ଗା ପଞ୍ଚାୟତର ଖଲିଗଡ଼ ସାହାଜଖୋଲ ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ନାଲା ନିକଟରୁ ୨୮୦୦ କେଜି ମହୁଲ ପୋଚ, ୧୦୦ ଲିଟର ହାତରନ୍ଧା ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରାଯାଇଥିଲା। ପରେ ସମସ୍ତ ସାମଗ୍ରୀକୁ ସେଠାରେ ନଷ୍ଟ କରାଯାଇଥିଲା। ଚଢ଼ାଉ ପୂର୍ବରୁ ଖବର ପାଇ ଅବୈଧ ମଦ ବ୍ୟବସାୟୀମାନେ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିବାରୁ କାହାକୁ ଗିରଫ କରାଯାଇପାରିନଥିଲା। କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ଅବୈଧ ଦେଶୀ ମଦ ପ୍ରସ୍ତୁତି ଓ ଚାଲାଣ ଚାଲିଥିବା ଅଭିଯୋଗ ରହିଛି। ଏହାକୁ ରୋକିବା ପାଇଁ ନିୟମିତ ଚଢ଼ାଉ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ