Hot Posts

6/recent/ticker-posts

ବିପଦପୂର୍ଣ୍ଣ ଅବସ୍ଥାରେ ଝାରକୁଣ୍ଡାମାଳ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଖସୁଛି ସିଲିଂ, ଭୟ ମଧ୍ୟରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଧର୍ମଗଡ, ୧୯/୦୭ (ରିତେଶ କୁମାର ମୁଣ୍ଡ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ତରାପୁର ପଞ୍ଚାୟତର ଝାରକୁଣ୍ଡାମାଲ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଦ୍ୟାଳୟ ଛାତରୁ ସିଲିଂ ଖସୁଥିବା ସହ ରଡ଼ ବାହାରକୁ ଦେଖାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ସରକାର ବିଦ୍ୟାଳୟର ଉନ୍ନତ ଭିତ୍ତିଭୂମି, ସ୍ମାର୍ଟ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ବିଦ୍ୟାଳୟର ଅବସ୍ଥା ସେହି ଦାବି ଉପରେ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ସୂଚନା ଅନୁଯାୟୀ, ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ଗୋଟିଏ ଶ୍ରେଣୀଗୃହ ରହିଛି। ଦୁଇଜଣ ଶିକ୍ଷକ ନିୟମିତ ପାଠଦାନ କରୁଥିଲେ ମଧ୍ୟ ଭଗ୍ନପ୍ରାୟ କୋଠା ଯୋଗୁଁ ଶିକ୍ଷାଦାନରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଯେକୌଣସି ସମୟରେ ସିଲିଂ ଖସି ଅଘଟଣ ଘଟିବାର ଆଶଙ୍କା ରହିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଯେ, କୋଠାର ଜରାଜୀର୍ଣ୍ଣ ଅବସ୍ଥା ଓ ସିଲିଂ ଖସୁଥିବା ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି। ଏପରିସ୍ଥିତିରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ତୁରନ୍ତ ବିଦ୍ୟାଳୟ କୋଠାର ମରାମତି ସହ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି କରିଛନ୍ତି।