ବାଲିଗୁଡା, ୦୪/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ମୋଟର ସାଇକେଲରେ ତିନିଜଣ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଖବରପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତିନିଜଣ ମୃତକଙ୍କ ମର ଶରୀର ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ବାଲିଗୁଡ଼ା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
