କଟକ ସ୍ଥିତ ଶିଶୁ ଭବନ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
କଟକ, ୨୧/୦୭ ( କାହୁଁ ଚରଣ ବାରିକ ) : କଟକ ସ୍ଥିତ ଶିଶୁ ଭବନ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଚିକିତ୍ସା ସେବା ଓ ଭିତ୍ତିଭୂମିର ଅଧିକ ସୁଧାର ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଶିଶୁମାନଙ୍କ ଆଇସିୟୁ (ICU) ଏବଂ ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ପ୍ରାଥମିକତା ଦେବା ସହ ହସ୍ପିଟାଲର ବ୍ୟାପକ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ଏଠାରେ ସିଟି ସ୍କାନ୍ ସେବା ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ବ୍ୟତୀତ ହସ୍ପିଟାଲର ଅଗ୍ନି ନିରାପତ୍ତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପଦକ୍ଷେପ ନିଆଯିବ । ଚିକିତ୍ସାଧୀନ ଶିଶୁଙ୍କୁ ଦୃଷ୍ଟିରେ ରଖି ଏଠାରେ ବେଡ୍ ସଂଖ୍ୟା ୮୪୬ କୁ ବୃଦ୍ଧି କରାଯାଇଛି ଏବଂ ଏଥିପାଇଁ ଆବଶ୍ୟକୀୟ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ, ଯାହା ଦ୍ୱାରା ରାଜ୍ୟର ଶିଶୁମାନଙ୍କୁ ଆଗାମୀ ଦିନରେ ଆହୁରି ସୁଗମ ଓ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ। ଏହି ସମୀକ୍ଷାରେ ସ୍ୱାସ୍ଥ୍ୟ ସଚିବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।