ଗାଁ କୁ ପହଞ୍ଚିଲା ଦାଦନ ଶ୍ରମିକ ତୁଳସୀଙ୍କ ମୃତ ଦେହ
କୋକସରା ୧୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କୋକସରା ଥାନା,ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଶ୍ୟାମଲାଲ ଧୁରୁଙ୍କ ଭେଣ୍ଡିଆ ପୁଅ ତୁଳସିରାମ ଧୁରୁ ପାଞ୍ଚ ମାସ ତଳେ କର୍ଣ୍ଣାଟକ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିଲା।ରବିବାର ତାଙ୍କ ମୃତ ଦେହ ଗାଁ ମାଟିକୁ ପହଞ୍ଚିଲା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁସାରେ ସରଧାପୁର ଗ୍ରାମର ତୁଳସୀରାମ ଧୁରୁ (୨୩) ପାଞ୍ଚ ମାସ ତଳେ କର୍ଣ୍ଣାଟକ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେ କର୍ଣ୍ଣାଟକ ରାଜ୍ୟ, କୋଲାର ଜିଲ୍ଳା ର ମାଲୁର ଥାନା ଅଞ୍ଚଳର ମଡର୍ନ ଅଟୋ ମୋଟିଭ ନାମକ ଏକ କମ୍ପାନୀରେ ରହି କାମ କରୁଥିଲେ। କାର୍ଯ୍ୟରତ ଥିବା ସମୟରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ଶୁଣିବା ପରେ ତୁଳସୀଙ୍କ ବାପା କର୍ଣ୍ଣାଟକ ପୋଲିସ ସହ ଯୋଗାଯୋଗ କରି ପୁଅର ମୃତ ଦେହ ଗାଁ ମାଟିକୁ ଆଣିବାର ବ୍ୟବସ୍ଥା କରିବାକୁ କୋକସରା ପୁଲିସ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଉକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ କରି ମୃତ ଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କଲା ପରେ ରବିବାର ତୁଳସୀଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଗାଁ ମାଟି ସରଧାପୁରକୁ ପହଞ୍ଚିଛି। ମୃତ ଦେହ ଗାଁ ମାଟିରେ ପହଞ୍ଚିଲା ପରେ ପରିବାର ତଥା ଗାଁ ରେ ଶୋକର ଛାୟା ଖେଳି ଯାଇଛି।