Hot Posts

6/recent/ticker-posts

ଡ଼ଃ ଭୀମରାଓ ଆମ୍ବେଦକର ସୋସାଇଟୀ ତରଫରୁ ରାଲି

କୋରାପୁଟ, ୨୧/୦୭ ( ରଜତ ବାଘ ) : ଗତକାଲି ଦାମନଯୋଡି ଠାରେ ଡ଼ଃ ଭୀମରାଓ ଆମ୍ବେଦକର ସୋସାଇଟିର ଛାତ୍ର ଏବଂ ଯୁବ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରହିତରେ ଦେଶବ୍ୟାପୀ ଛାତ୍ର ଓ ଯୁବ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ମାଧ୍ୟମରେ ନାଲକୋ ଦାମନଯୋଡି ଶିଳ୍ପନଗରୀରେ ବସବାସ କରୁଥିବା ସାଧାରଣ ଜନସାଧାରଣଙ୍କୁ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା, ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଏବଂ ଯୁବ ସମାଜର ଭବିଷ୍ୟତ ସମ୍ପର୍କରେ ସଚେତନ କରାଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ଦେଶର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଫାସ୍ ଓ ଅନିୟମିତତା ସମ୍ବନ୍ଧୀୟ ଅଭିଯୋଗ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି। ସଂଗଠନ ମତ ପ୍ରକାଶ କରିଛି ଯେ, ଯେତେବେଳେ ଯୋଗ୍ୟତା ଅପେକ୍ଷା ଦୁର୍ନୀତିକୁ ଗୁରୁତ୍ୱ ମିଳେ, ସେତେବେଳେ କେବଳ ପରୀକ୍ଷା ବ୍ୟବସ୍ଥା ନୁହେଁ, ଦେଶର ଭବିଷ୍ୟତ ମଧ୍ୟ ବିପଦରେ ପଡ଼େ। ସଂଗଠନ ଏହା ମଧ୍ୟ କହିଛି ଯେ, ଆଦିବାସୀ, ଦଳିତ, ପଛୁଆ ବର୍ଗ, ସାଧାରଣ ବର୍ଗ, କୃଷକ, ଶ୍ରମିକ ଏବଂ ମଧ୍ୟବିତ୍ତ ପରିବାରର ସନ୍ତାନମାନେ କଠିନ ପରିଶ୍ରମ କରି ନିଜ ଭବିଷ୍ୟତ ଗଢ଼ୁଛନ୍ତି। ସେମାନଙ୍କୁ ସଂବିଧାନ ପ୍ରଦତ୍ତ ସମାନ ସୁଯୋଗ ମିଳିବା ଉଚିତ ଏବଂ ପରୀକ୍ଷା ବ୍ୟବସ୍ଥା ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ ହେବା ଆବଶ୍ୟକ। ଯଦି ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା, ପ୍ରଶ୍ନପତ୍ର ଫାସ୍ କିମ୍ବା ଦୁର୍ନୀତିର ଅଭିଯୋଗ ଉଠେ, ତେବେ ତାହାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଯୁବ ସମାଜର ବିଶ୍ୱାସ ପୁନଃସ୍ଥାପନ କରିବା ସରକାରଙ୍କ ଦାୟିତ୍ୱ ବୋଲି ସଂଗଠନ ମତ ପ୍ରକାଶ କରିଛି। ଗଣତନ୍ତ୍ରରେ ପ୍ରଶ୍ନ କରିବା ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିଜର ଅଧିକାର ଦାବି କରିବା ପ୍ରତ୍ୟେକ ନାଗରିକଙ୍କ ସାଂବିଧାନିକ ଅଧିକାର। ଯୁବଶକ୍ତିର ସ୍ୱରକୁ ସମ୍ମାନ ଦେବା ଏବଂ ସେମାନଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଏକ ଶକ୍ତିଶାଳୀ ଗଣତନ୍ତ୍ରର ପରିଚୟ ବୋଲି ସଂଗଠନ କହିଛି। ଏହି ପ୍ରତିବାଦ ପଦଯାତ୍ରାର ଆୟୋଜନ ଛାତ୍ର ଏବଂ ଯୁବ ମୋର୍ଚ୍ଚାର ପ୍ରଭାରୀ *ଶ୍ରୀ ମଜେଶ ବାଘ*, ସଭାପତି *ଶ୍ରୀ ପପୁ ଭତ୍ରା*, ସମ୍ପାଦକ *ଶ୍ରୀ ଡେଭିଡ ଖୋସଲା* ଏବଂ କୋଷାଧ୍ୟକ୍ଷ *ଶ୍ରୀ ସାମନ୍ତ ଖୋସଲା* ଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର କାର୍ଯ୍ୟକାରୀ ସଭାପତି *ଶ୍ରୀ ରଞ୍ଜିତ କୁଳଦିପ*, ମୁଖ୍ୟ ସଚିବ *ଶ୍ରୀ ହରେଶ ହନ୍ତାଳ* ବରିଷ୍ଠ ନେତା *ଶ୍ରୀ ରମିଲ କୁଳଦିପ* ନୋଡାଲ ଅଧିକାରୀ *ଶ୍ରୀ ଉଇଲସନ ଖୋସଲା*, ସଂଯୋଜକ *ଶ୍ରୀ ସୁଦାମ କୁଳଦିପ* ଙ୍କ ସହ ଅନେକ କର୍ମକର୍ତ୍ତା ଓ ଯୁବ ସଦସ୍ୟମାନେ ଯୋଗଦାନ କରିଥିଲେ।


ରଜତ ବାଘଙ୍କ ରିପୋର୍ଟ ନବଦୂତ ନ୍ୟୁଜ ଓଡିଶା