ଖଡ଼ିଆଳରେ ଜାତୀୟ ରାଜପଥ ପାର୍ଶ୍ୱ ଡ୍ରେନ୍ ସ୍ଲାବ୍ ହେଲା ବିପଦ: ତୁରନ୍ତ ମରାମତି ଦାବି
ନୂଆପଡ଼ା, ୨୩/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ କଡ଼ରେ କରାଯାଇଥିବା ଡ୍ରେନେଜ୍ ବ୍ୟବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଓ ପଥ୍କଙ୍କ ଲାଗି ବିପଦ ସାଜିଛି। ରାସ୍ତା ପାର୍ଶ୍ବରେ ଥିବା ନାଳ ଉପରେ ପକାଯାଇଥିବା କଂକ୍ରିଟ୍ ସ୍ଲାବ୍ ବା ଡାକୁଣିଗୁଡ଼ିକୁ ସୁରକ୍ଷିତ ଭାବେ ଫିଟ୍ କରାନଯାଇ ଦାୟିତ୍ବହୀନ ଭାବେ ଉପରେ ରଖ୍ ଦିଆଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡ୍ରେନେଜ୍ ସ୍ଲାବ୍ ଗୁଡ଼ିକ ଠିକ୍ ଭାବେ ବସାଯାଇ ନଥିବାରୁ ଏହା ସହରର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ ଭାବେ ନଷ୍ଟ କରୁଛି। ଏହି ଡାକୁଣିଗୁଡ଼ିକ ସ୍ଥିର ନଥିବାରୁ ଏହା ଉପରେ ଚାଲି ଚାଲି ଯାଉଥିବା ଛୋଟ ପିଲା ଏବଂ ବୃଦ୍ଧବୃଦ୍ଧାମାନେ ଝୁଣ୍ଟି ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଅନେକ ସମୟରେ ଲୋକେ ଏହା ଉପରେ ଗୋଡ଼ ଦେବା ମାତ୍ରେ ଭାରସାମ୍ୟ ହରାଇ ଖସି ପଡ଼ୁଛନ୍ତି। ରାଜପଥ କଡ଼ରେ ଏଭଳି ବିପଦପୂର୍ଣlଅବସ୍ଥା ଦୀର୍ଘ ଦିନ ହେବ ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। କୌଣସି ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ଡ୍ରେନର ସ୍ଲାବଗୁଡ଼ିକୁ ତୁରନ୍ତ ସଜାଡ଼ିବା ଲାଗି ଜନସାଧାରଣ ଦାବି କରିଛନ୍ତି।