ନୟାଗଡରେ ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି
ନୟାଗଡ, ୧୯/୦୭ (ସୁଧିର କୁମାର ଦାସ) : ନୟାଗଡ ଜିଲ୍ଲାର ସରଣକୁଳ ଓ ଓଡ଼ଗାଁ ପରିବା ବଜାରରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ସାଧାରଣ ଖାଉଟି, ବିଶେଷକରି ଦିନମଜୁରିଆ ଓ ଗରିବ ପରିବାର ଚିନ୍ତାରେ ପଡ଼ିଛନ୍ତି। ବଜାରରେ ଫୁଲକୋବି କିଲୋପିଛା ୭୦ ଟଙ୍କା, ବାଇଗଣ ୬୦ ଟଙ୍କା, ଟମାଟୋ ୫୦ ଟଙ୍କା, ପୋଟଳ ୫୦ ଟଙ୍କା, କାକୁଡ଼ି ୬୦ ଟଙ୍କା, କଲରା ୫୦ ଟଙ୍କା, ପିଆଜ ୫୦ ଟଙ୍କା ଏବଂ ଅଣ୍ଡା ପିଛା ୮ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୧୦୦ ଟଙ୍କା ନେଇ ବଜାରକୁ ଗଲେ ମଧ୍ୟ ଆବଶ୍ୟକ ପରିମାଣର ପରିବା କିଣିବା ସମ୍ଭବ ହେଉନାହିଁ। ଫଳରେ ଗରିବ ପରିବାରଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ସରକାର ମାଗଣା ଚାଉଳ ଯୋଗାଉଥିବା ବେଳେ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବାର ବୃଦ୍ଧି ପାଉଥିବା ଦର ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଛି। ଏହି ପରିସ୍ଥିତିରେ ପରିବା ଦର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଓ ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।