ଅବକାରୀ ନିୟମ କୁ ମାନୁ ନାହାନ୍ତି ମଦ ଦୋକାନ ମାଲିକ ।
କଳାହାଣ୍ଡି, ୦୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ମାଲିକ ନୂତନ ମଦ ଦୋକାନ ଖୋଲିବା ନେଇ ନୂଆ ଚତୁରତା । ଏପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ନୂତନ ଲଟେରୀ ମାଧ୍ୟମରେ ଆବଣ୍ଟିତ ହୋଇଥିବା ଏକ ମଦ ଦୋକାନ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଅବକାରୀ ଗାଇଡ଼ଲାଇନକୁ ଖୋଲାଖୋଲି ଉଲଂଘନ କରି ମଦ ଦୋକାନ ପ୍ରତିଷ୍ଠା କରାଯାଉଥିବା ନେଇ ଗମ୍ଭୀର ଅଭିଯୋଗ ଉଠିଛି । ୧୦୦ ମିଟରରେ ଚାଲିଛି ନିର୍ମାଣ କାମ ସରକାରୀ ନିୟମ ଅନୁସାରେ, ୨୦ ହଜାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଜାତୀୟ ରାଜପଥ ଠାରୁ ମଦ ଦୋକାନର ଦୂରତା ଅତିକମରେ ୨୨୦ ମିଟର ହେବା ଆବଶ୍ୟକ । କିନ୍ତୁ ମଦନପୁର ରାମପୁରଠାରେ ଏହି ନିୟମକୁ ଅଣଦେଖା କରି ମାତ୍ର ୧୦୦ ମିଟର ଦୂରତାରେ ନୂତନ ମଦ ଦୋକାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଥିଲା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ବିରୋଧ ହୋଇଥିଲା । ଧାର୍ମିକ ସ୍ଥାନ, ଶିକ୍ଷାନୁଷ୍ଠାନ ଓ ଜନବସତି ନିକଟରେ ମଦ ଦୋକାନ ସ୍ଥାପନ ଉପରେ କଡ଼ା କଟକଣା ଥିବା ସତ୍ତ୍ୱେ ପ୍ରଶାସନର ଆଖି ଆଗରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବାରୁ ସାଧାରଣରେ ଆକ୍ରୋଶ ବଢ଼ିବାରେ ଲାଗିଛି । ରାଜପଥ କଡ଼ରେ ମଦ ଦୋକାନ ହେଲେ ସଡ଼କ ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ସାମାଜିକ ପରିବେଶ ଉପରେ ଏହାର ଗୁରୁତର କୁପ୍ରଭାବ ପଡ଼ିବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଏବେ ମଦ ଦୋକାନ ମାଲିକଙ୍କ ମଧ୍ୟରେ ଛନକା ପଶିଛି ।ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଏବେ ଏକ ଅଜବ ଚତୁରତା ଆପଣାଇଛନ୍ତି ଦୋକାନ ମାଲିକ। ଦୋକାନର ପ୍ରକୃତ ଦୂରତାକୁ କାଗଜପତ୍ର ଓ ମାପଚୁପରେ ୨୨୦ ମିଟର ଦେଖାଇବା ପାଇଁ ମଦ ଦୋକାନକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିଧା ନକରି, ଚତୁରତାର ସହ ବୁଲେଇ ବକ୍ର ଭାବେ ନିର୍ମାଣ କରାଯାଇଥିବା ସାମ୍ନାକୁ ଆସିଛି । ଯାହାଦ୍ୱାରା ମାପ ବେଳେ ଯେପରି ଏହା ୨୨୦ ମିଟର ଦୂରରେ ଥିବା ଭଳି ପ୍ରତିଫଳିତ ହେବ । ମାଲିକଙ୍କ ଏହି ପଦକ୍ଷେପ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କଳାହାଣ୍ଡି ଅବକାରୀ ବିଭାଗ ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ( RI ) କିପରି ଏନ୍ ଏଚ୍ ରୁ ୧୦୦ ମିଟର ଦୂରତାରେ ନିର୍ମାଣ ନୂତନ ମଦ ଦୋକାନ ପାଇଁ ଅନୁମୋଦନ କଲେ ଏ ନେଇ ଅଞ୍ଚଳର ବୁଦ୍ଧିଜୀବି ମଧ୍ୟରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ତେବେ ଖୋଲାଖୋଲି ଭାବେ ରାସ୍ତା ବୁଲେଇ ନିୟମକୁ ଅବମାନନା କରିବାକୁ ଚେଷ୍ଟା କରୁଥିବା ମଦ ମାଲିକଙ୍କ ବିରୋଧରେ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ