ରଥଯାତ୍ରା ପ୍ରସ୍ତୁତି ଓ ବର୍ଷାଜନିତ ଜଳବନ୍ଦୀ ପରିସ୍ଥିତିର ସମୀକ୍ଷା କଲେ କଟକ ମେୟର ଓ ସିଏମସି କମିଶନର
କଟକ, ୦୧/୦୭ ( କାହୁଁ ଚରଣ ବାରିକ ) : ପବିତ୍ର ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଏବଂ ସହରର ସୁଚାରୁ ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଜି କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଓ ସିଏମସି କମିଶନର ସହରର ବିଭିନ୍ନ ରଥଯାତ୍ରା ସ୍ଥଳ ଏବଂ ବର୍ଷାଜନିତ ଜଳବନ୍ଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ମେୟର ଓ କମିଶନର ରଥଯାତ୍ରା ସମୟରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ନହେବା ପାଇଁ ସମସ୍ତ ପ୍ରସ୍ତୁତିକୁ ଯାଞ୍ଚ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଭକ୍ତମାନଙ୍କର ଯାତାୟାତ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ, ସଫେଇ, ଜରୁରୀକାଳୀନ ସେବା ଏବଂ ଟ୍ରାଫିକ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ସେମାନେ ସହରର ବିଭିନ୍ନ ଜଳବନ୍ଦୀ ପ୍ରବଣ ଅଞ୍ଚଳ ପରିଦର୍ଶନ କରି ଡ୍ରେନେଜ୍ ବ୍ୟବସ୍ଥା ମାଧ୍ୟମରେ ବର୍ଷାଜଳର ଶୀଘ୍ର ନିଷ୍କାସନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଜଳ ନିଷ୍କାସନରେ କୌଣସି ବାଧା ନରହିବା, ପମ୍ପିଂ ବ୍ୟବସ୍ଥାକୁ ସଦା ସକ୍ରିୟ ରଖିବା, ଡ୍ରେନ୍ଗୁଡ଼ିକର ନିୟମିତ ସଫେଇ ଏବଂ ବର୍ଷା ସମୟରେ ତୁରନ୍ତ ପ୍ରତିକ୍ରିୟା ପାଇଁ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ମେୟର ଶ୍ରୀ ସୁବାସ ସିଂହ କହିଲେ ଯେ, ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ପରିବେଶ ଯୋଗାଇ ଦେବା ସିଏମସିର ପ୍ରାଥମିକ ଦାୟିତ୍ୱ। ସେହିପରି ବର୍ଷାଜନିତ ଜଳବନ୍ଦୀ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ନାଗରିକମାନଙ୍କୁ କୌଣସି ଅସୁବିଧା ନହେବା ପାଇଁ ସିଏମସିର ସମସ୍ତ ଟିମ୍ ୨୪ ଘଣ୍ଟିଆ ପ୍ରସ୍ତୁତ ଅବସ୍ଥାରେ ରହିଛନ୍ତି। ସିଏମସି କମିଶନର ମଧ୍ୟ କହିଥିଲେ ଯେ, ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ସହ ଆବଶ୍ୟକ ସ୍ଥାନରେ ପମ୍ପ ଏବଂ ଅନ୍ୟାନ୍ୟ ଉପକରଣ ମୁତୟନ କରାଯାଇଛି। ଯେକୌଣସି ଆପତ୍କାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଥଯାତ୍ରା ଓ ବର୍ଷା ଋତୁରେ ସହରବାସୀଙ୍କୁ ନିରବିଘ୍ନ ନାଗରିକ ସେବା ଯୋଗାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ଅଧିକାରୀମାନଙ୍କୁ କ୍ଷେତ୍ରରେ ରହି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।