ବାଲିଆପାଳ, ୦୧/୦୬ ( ସନ୍ୟାସୀ ବେହେରା ) : ଭାରତ ନିର୍ବାଚନ କମିଶନ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକରେ ଆଜି ସୁଇପ୍ (SVEEP) କାର୍ଯ୍ୟକ୍ରମ ଅଧୀନରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା (ରାଲି) ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ (AERO-cum-BDO) ଶ୍ରୀଯୁକ୍ତ ରାଧା ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଗତକାଲି (୩୦ ମଇ) ଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (Special Intensive Revision - SIR) ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ଅବଗତ କରାଇବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଉପସ୍ଥିତ ନିର୍ବାଚନ ଅଧିକାରୀ ଓ କର୍ମଚାରୀମାନେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟରେ ବୁଝାଇବା ସହ ଭୋଟର ତାଲିକା ସଂଶୋଧନ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ଘରକୁ ଘର ବୁଲି ଯାଞ୍ଚ କରୁଥିବା ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ନିଜ ପରିବାରର ଯୋଗ୍ୟ ଯୁବକଯୁବତୀଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଅଧିକାରୀମାନେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବାଲେଶ୍ୱର
