କ୍ଷେମାଲୋଏ ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୭୧ଟି ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, ୨୨/୦୬ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଭିଯୋଗ ପାଇଁ ଆସୁଥିବା ଲୋକଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଛୁଆଠୁ ନେଇ ବୃଦ୍ଧମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଓ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଲୁଣ୍ଡା ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।