Hot Posts

6/recent/ticker-posts

ଅଙ୍ଗନବାଡି କର୍ମୀଙ୍କୁ ସ୍ଥାନାନ୍ତର ଦାବି ନେଇ ଗ୍ରାମବାସୀଙ୍କ ଅଭିଯୋଗ

ଝରିଗାଁ, ୦୮/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡାବେଡା ପଞ୍ଚାୟତ ଅନ୍ତର୍ଗତ କଳାହାଣ୍ଡିଆଗୁଡ଼ା ଅଙ୍ଗନବାଡି କେନ୍ଦ୍ର (୨)ର ଅଙ୍ଗନବାଡି କର୍ମୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଗ୍ରାମବାସୀମାନେ ସୋମବାର ଦିନ ସମ୍ପୃକ୍ତ ସୁପରଭାଇଜରଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ଦୀର୍ଘ ବର୍ଷ ଧରି କଳାହାଣ୍ଡିଆଗୁଡ଼ାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ବାରମ୍ବାର ସିଡିପିଓଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ନେଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରର ଶିଶୁମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ପୁଷ୍ଟିକର ଖାଦ୍ୟ, ଛତୁଆ ଓ ଅଣ୍ଡା ନିୟମିତ ଭାବେ ବଣ୍ଟନ କରାଯାଉ ନାହିଁ। ଏଥିସହ ଅଙ୍ଗନବାଡି କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଅନିୟମିତତା ଥିବା ନେଇ ମଧ୍ୟ ସେମାନେ ଅଭିଯୋଗ ଉଠାଇଛନ୍ତି। ଏହି ସମସ୍ୟାର ନିରପେକ୍ଷ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ସହ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।