Hot Posts

6/recent/ticker-posts

ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ଏଚଆରଡିଙ୍କ ବିରୋଧରେ ପୁଳା ପୁଳା ଅଭିଯୋଗ ସତ୍ବେ ହେଉନି ବଦଳି, ସଂସ୍ଥା ନଚାହିଁଲେ କେମିତି ହେବ ବଦଳି ବୋଲି ଉତ୍ତର ରଖିଲେ ଏଚଆରଡି।

ମାଲକାନଗିରି, ୦୨/୦୬  ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲାର ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ ଏଚଆରଡି ଅଧିକାରୀ ଦୁର୍ଗା ପ୍ରସାଦ ନାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ସତ୍ବେ ଦୀର୍ଘ ବର୍ଷ ଧରି ତାଙ୍କ ବଦଳି ନ ହେବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ବିଗତ ଦିନରେ ଏନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇ ନଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଏହି ଅଧିକାରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଶ୍ରୀ ନାୟକ ଦୀର୍ଘ ୧୩ ବର୍ଷ ଧରି ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ ରହିଛନ୍ତି। ତେବେ ଗତ କିଛି ମାସ ପୂର୍ବେ ୬ଟି ଡାଟା ଏଣ୍ଟ୍ରି ଅପରେଟର ଓ ୧୪ଟି ଆଟେଣ୍ଡାଣ୍ଟ ପଦବୀ ପୂରଣ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ସ୍ତରରେ ଏହି ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଏବଂ ଅର୍ଥ କାରବାର ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ଅଧିକାରୀ ଙ୍କ ମନ ମୁତାବକ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ ଏହି ପଦବୀ ଗୁଡିକୁ ବେଆଇନ ଭାବେ ବାହାର କରିଥିଲେ ଏଚଆରଡି ଶ୍ରୀ ନାୟକ ଏବଂ ପୂର୍ବତନ ଏସଜିଏମ ଦିଲ୍ଲୀପ ସ୍ୱାଇଁ। ତେବେ ବର୍ତ୍ତମାନ ନିୟୋଜିତ ଥିବା ଏହି ୨୦ ଗୋଟି ପୋଷ୍ଟ ବାବଦକୁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଲେଖାଏଁ ଟଙ୍କା ଲାଞ୍ଚ ନେଇ ଏହି ପଦବୀ ଗୁଡିକ ପୂରଣ କରିଥିବା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି। ପାଖାପାଖି ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାକୁ ଏହି ଅଧିକାରୀ ଓ ଅନ୍ୟ ମାନେ ଆତ୍ମସାତ କରିଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ନିଜ ମନ ମୁତାବକ ବେଆଇନ ଭାବେ ପଦବୀ ରେ ନିଯୁକ୍ତି କଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାର ସରକାରୀ ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି। ଏହି ପ୍ରସଙ୍ଗରେ ଓଏଚପିସିର ଅପରେସନ ମୁଖ୍ୟ ଅମୀୟ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ ଏବଂ ଲିଖିତ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଓଏଚପିସିର ମାନବ ସମ୍ବଳ ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ମତାମତ ଦେବାରୁ ବିରତ ରହିଥିଲେ। ଅନ୍ୟପଟେ, ଏଚଆରଡି ଦୁର୍ଗା ପ୍ରସାଦ ନାୟକ କହିଛନ୍ତି ଯେ, ସେ ୨୦୧୫ ମସିହାରୁ ବାଲିମେଳାରେ କାର୍ଯ୍ୟରତ ଅଛନ୍ତି ଏବଂ ମଧ୍ୟବର୍ତ୍ତୀ ସମୟରେ ଡେପୁଟେସନରେ ଅନ୍ୟତ୍ର ଯାଇଥିଲେ। ସଂସ୍ଥାର ଆବଶ୍ୟକତା ଯୋଗୁଁ ସେ ଏଠାରେ ରହିଥିବା କହିବା ସହ ଉଠିଥିବା ଅଭିଯୋଗ ଉପରେ ସେ ବିଶେଷ କୌଣସି ମନ୍ତବ୍ୟ ଦେଇନଥିଲେ। ତେବେ ଦୀର୍ଘ ସମୟ ଧରି ଏକାସ୍ଥାନରେ କାର୍ଯ୍ୟରତ ରହିବା ଏବଂ ବିଭିନ୍ନ ଅଭିଯୋଗ ସତ୍ତ୍ୱେ କୌଣସି ସ୍ପଷ୍ଟ ପଦକ୍ଷେପ ନ ହେବାକୁ ନେଇ ବୁଦ୍ଧିଜୀବୀ ଓ ସ୍ଥାନୀୟ ମହଳରେ ପ୍ରଶ୍ନ ଉଠିଛି। ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରାଯିବା ସହ ସତ୍ୟତା ପ୍ରକାଶ ପାଇବାକୁ ସାଧାରଣରେ ଦାବି ହେଉଛି। ଉପରୋକ୍ତ ସମସ୍ତ ଅଭିଯୋଗ ଗୁଡ଼ିକର ନିରପେକ୍ଷ ତଦନ୍ତ ହେଲେ ଏହା କେତେଦୂର ସତ ତାହା ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।



ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।