Hot Posts

6/recent/ticker-posts

ରାଜସୁନାଖଳା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ମିଳୁନି ସନ୍ତୋଷ ଜନକ ସେବା, ଗ୍ରାହକ ହଇରାଣ

ବୋଲଗଡ଼, ୨୯/୦୬ (ସୁଶାନ୍ତ କୁମାର ପ୍ରଧାନ) : ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ଓ ଆର୍ଥିକ କେନ୍ଦ୍ର ରାଜସୁନାଖଳାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ଶାଖାର ସେବା ବ୍ୟବସ୍ଥାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୈନିକ ଶତାଧିକ ଗ୍ରାହକ ନଗଦ ଜମା, ଉଠାଣ, ପାସ୍‌ବୁକ୍ ଅପଡେଟ୍, ମୋବାଇଲ ନମ୍ବର ସଂଯୋଗ, କେୱାଇସି ସଂଯୋଗ ଓ ଅନ୍ୟାନ୍ୟ ବ୍ୟାଙ୍କିଂ କାର୍ଯ୍ୟ ପାଇଁ ଏହି ଶାଖାକୁ ଆସୁଥିଲେ ମଧ୍ୟ ଠିକ୍ ସମୟରେ ସେବା ନମିଳିବାରୁ ସେମାନେ ହଇରାଣ ହେଉଛନ୍ତି। ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ବ୍ୟାଙ୍କ ଖାତାରେ ଏକ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଚାରି ଦିନ ପୂର୍ବରୁ ଆବଶ୍ୟକ ଫର୍ମ ଓ ଦସ୍ତାବେଜ ଦାଖଲ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସଂଯୋଗ କରାଯାଇନାହିଁ। ଏହି ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଶାଖା ପରିଚାଳକଙ୍କ ସହ ବାରମ୍ବାର ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିବା ସହ କୌଣସି ପ୍ରତିଉତ୍ତର ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାହକମାନେ ବାରମ୍ବାର ବ୍ୟାଙ୍କକୁ ଆସି ସମୟ ଓ ଅର୍ଥ ନଷ୍ଟ କରୁଥିବା କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାଜସୁନାଖଳା ଶାଖା ଉପରେ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବହୁ ଗ୍ରାମର ଲୋକ ନିର୍ଭରଶୀଳ। ବିଶେଷକରି ବୃଦ୍ଧ, ପେନ୍‌ସନଭୋଗୀ, ମହିଳା, ଛାତ୍ରଛାତ୍ରୀ ଓ ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାର ଅର୍ଥ କାରବାର ପାଇଁ ଏହି ଶାଖାକୁ ଆସୁଥାନ୍ତି। ମାତ୍ର ସାମାନ୍ୟ କାମ ପାଇଁ ମଧ୍ୟ ଅନେକ ଦିନ ଧରି ଘୁରିବାକୁ ପଡ଼ୁଥିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗ୍ରାହକମାନଙ୍କ ଅଭିଯୋଗ ହେଉଛି, ବ୍ୟାଙ୍କରେ କୌଣସି ସମସ୍ୟା ହେଲେ ତାହାର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ସହ ସହଜରେ ଯୋଗାଯୋଗ କରିହେଉନାହିଁ। ଫୋନ କଲେ ରିସିଭ କରାଯାଉନାହିଁ କିମ୍ବା ସନ୍ତୋଷଜନକ ଉତ୍ତର ମିଳୁନାହିଁ ବୋଲି ସେମାନେ କହିଛନ୍ତି। ଏଭଳି ପରିସ୍ଥିତିରେ ଡିଜିଟାଲ ବ୍ୟାଙ୍କିଂ ଯୁଗରେ ଗ୍ରାହକ ସେବା ପ୍ରତି ଅବହେଳା ଦେଖାଯାଉଥିବା ନେଇ ପ୍ରଶ୍ନ ଉଠିଛି। ସାଧାରଣ ଲୋକ ଦାବି କରିଛନ୍ତି ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ଓ ଉଚ୍ଚ କର୍ତ୍ତୃପକ୍ଷ ଏହି ଶାଖାର ସେବା ବ୍ୟବସ୍ଥାର ସମୀକ୍ଷା କରି ଗ୍ରାହକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ଦାୟିତ୍ୱବାନ ସେବା ଯୋଗାଇବା ଦିଗରେ ପଦକ୍ଷେପ ନିଅନ୍ତୁ।