Hot Posts

6/recent/ticker-posts

ଆଦିବାସୀ ଓ ଅନୁସୂଚିତ ଜାତିଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ, ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ

ଝରିଗାଁ, ୨୩/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଚାଲିଥିବା ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବ୍ଲକସ୍ତରୀୟ ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବାଦ କାର୍ଯ୍ୟକ୍ରମରେ ବିଭିନ୍ନ ଜାତି ଓ ଜନଜାତି ସମ୍ପ୍ରଦାୟର ଶତାଧିକ ପ୍ରତିନିଧିଙ୍କ ସହ ସ୍ଥାନୀୟ ଜନସାଧାରଣ ଯୋଗଦେଇ ସରକାରୀ ଯୋଜନା, ସାମାଜିକ ବିକାଶ ଓ ସଚେତନତା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ବାସନ୍ତୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ଝରିଗାଁ ବିଡିଓ ମଧୁସୂଦନ ମାଝୀ, ତହସିଲଦାର ସୁମନ୍ତ ପାତ୍ର, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁବାଷ ଡାଲି, ବ୍ଲକ ମଙ୍ଗଳ ଅଧିକାରୀ ଅମିତ କୁମାର ନାୟକ, ଜନଜାତି ସୁରକ୍ଷା ମଞ୍ଚର ସଭାପତି ଘନ ମାଝୀ, ଜିଲ୍ଲା ଅନୁସୂଚିତ ଜାତି ସଭାପତି ଅର୍ଜୁନ ସମରଥ, ଜିଲ୍ଲା ଡମ ସମାଜ ସଭାପତି ଜନକ ରାମ ସୁନା ଏବଂ ଅଭିଭକ୍ତ କୋରାପୁଟ ଡମ ସମାଜର ସମ୍ପାଦକ ହରିହର ଦୁର୍ଗା ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି ବାସନ୍ତୀ ମାଝୀ କହିଥିଲେ ଯେ, ଆଦିବାସୀ ଓ ଅନୁସୂଚିତ ଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକରୀ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ସେ କହିଥିଲେ। ସେହିପରି ବ୍ଲକରେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ଆଶାନୁରୂପ ଫଳ ମିଳୁନଥିବାରୁ ସମସ୍ତଙ୍କୁ ଅଧିକ ସଚେତନ ହୋଇ ସରକାରୀ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ କରିଥିଲେ। ଶେଷରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କୃଷକ ଏବଂ ଆଦିବାସୀ ସଂସ୍କୃତି ଓ ଲୋକକଳାର ସଂରକ୍ଷଣ ଓ ପ୍ରଚାରରେ ନିୟୋଜିତ କଳାକାରମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।