ରାୟଗଡ଼ ଅଡିଟୋରିୟମ୍ ପରିସରରେ “ଜିଲ୍ଲା ସ୍ତରୀୟ ଜନ କଲ୍ୟାଣ ମେଳା” ଆୟୋଜିତ
ରାୟଗଡ଼ା, ୨୩/୦୬ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା , ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା–୧୩୫୦, ତାରିଖ–୧୮.୦୬.୨୦୨୬ ଅନୁଯାୟୀ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ରାୟଗଡ଼ ଅଡିଟୋରିୟମ୍ ପରିସରରେ “ଜିଲ୍ଲା ସ୍ତରୀୟ ଜନ କଲ୍ୟାଣ ମେଳା” ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲା ନଗର ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ ମୁଖ୍ୟ ଏଟିଆଇଟିଏଚଆଇ ଭାବେ ଯୋଗଦାନ କରିଥିଲେ ତାଙ୍କ ସହିତ ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ପୌରପରିଷଦର ସମସ୍ତ କାଉନ୍ସିଲର, ଜିଲ୍ଲା ମିଶନ ମ୍ୟାନେଜର, ଟିମ୍ ଲିଡର୍–ଡୁଡା, ଏଲ.ଡି.ଏମ, କମ୍ୟୁନିଟି ଅର୍ଗାନାଇଜର ଏବଂ ପୌରପରିଷଦର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ ଓ ଅବଦାନ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା। ରାୟଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଏହି ଜନ କଲ୍ୟାଣ ମେଳାରେ ରାସ୍ତା ପାର୍ଶ୍ୱ ବ୍ୟବସାୟୀମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ କଲ୍ୟାଣମୂଳକ ଯୋଜନା ସହିତ ସଂଯୋଗ କରାଯାଇଥିଲା। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା, ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଜନନୀ ସୁରକ୍ଷା ଯୋଜନା, ମାତୃବନ୍ଦନା ଯୋଜନା ଆଦି ସମେତ ୮ଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ସଂଯୋଗ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋଟ ୧୨୩ ଜଣ ନୂତନ ରାସ୍ତା ପାର୍ଶ୍ୱ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇ ଥିଲା । ନୂତନ ଭାବେ ମଞ୍ଜୁର ହୋଇଥିବା ରୁଣ ରାଶିକୁ ଦୁଇଜଣ ରାସ୍ତା ପାର୍ଶ୍ୱ ବ୍ୟବସାୟୀଙ୍କୁ ପ୍ରକଳ୍ପ ନିର୍ଦେଶକ ସ୍ଵ ହସ୍ତରେ ଚେକ ପ୍ରଦାନ କରି ସମ୍ମାନିତ କରିଥିଲେ । ସେହିପରି ୧୦ ଜଣ ନୂତନ ରାସ୍ତା ପାର୍ଶ୍ୱ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାସ୍ତା ପାର୍ଶ୍ୱ ବ୍ୟବସାୟୀମାନଙ୍କ ଦକ୍ଷତା ବୃଦ୍ଧି ଓ ନିରାପଦ ଖାଦ୍ୟ ବିକ୍ରୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କିତ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ମଧ୍ୟ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀ ବ୍ୟବସାୟୀମାନଙ୍କୁ ସ୍ୱଚ୍ଛ ଓ ନିରାପଦ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ ଓ ବିକ୍ରୟ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଜନ କଲ୍ୟାଣ ମେଳା ମାଧ୍ୟମରେ ରାସ୍ତା ପାର୍ଶ୍ୱ ବ୍ୟବସାୟୀମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ସହିତ ସଂଯୋଗ କରାଯାଇ ସେମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ରାୟଗଡ଼ ପୌରପରିଷଦ ତରଫରୁ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି।