Hot Posts

6/recent/ticker-posts

ଶିଶୁ ଶ୍ରମିକ ନିରାକରଣ ସଚେତନତା।

ମାଲକାନଗିରି, ୧୮/୦୬ ( ଶରତ ଚନ୍ଦ୍ର ଖରା ) : ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ଅବସରରରେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷ ରୁ ଏକ ସଚେତନତା ରଥ ସହ ଏକ ଶୋଭାଯାତ୍ରା ଜିଲ୍ଲା ସଂସ୍କୃତି ଭବନ ରୁ ଆରମ୍ଭ ହେଇ ଦଣ୍ଡକାରଣ୍ୟ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I ଏହି ଶୋଭାଯାତ୍ରା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ,ଉପଜିଲ୍ଲାପାଳ ଶ୍ରୀ ଦୁର୍ଯ୍ୟଧାନ ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ପୁର୍ଣିମା ଡୁରୁକା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ , ସହକାରୀ ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ, ଚାଇଲ୍ଡଲାଇନ କର୍ମଚାରୀ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ, ଛାତ୍ରଛାତ୍ରୀ, ସିଭିଲ୍ ସୋସାଇଟି ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ,ପୋଲିସ କର୍ମଚାରୀ, ଶ୍ରମିକ ସଂଘର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶିଶୁମାନଙ୍କୁ ଶୋଷଣରୁ ରକ୍ଷା କରିବା, ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଏବଂ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରି ଏହାକୁ ତ୍ୱରାନ୍ୱିତ କରିବା ଉପରେ ଏହି ସଚେତନତା ଶୋଭାଯାତ୍ରାରେ ବାର୍ତ୍ତା ଦିଆଯାଇଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ କୌଣସି ଶିଶୁ ଶ୍ରମିକଙ୍କୁ ନିୟୋଜିତ ନକରିବା ପାଇଁ ସ୍ଲୋଗାନ ଦେବା ସହ ଲିଫଲେଟ୍ ବଣ୍ଟନ କରାଯାଇଛି। ଶିଶୁ ଶ୍ରମର ସମ୍ପୂର୍ଣ୍ଣ ନିରାକରଣ ଏବଂ ବିପଜ୍ଜନକ ବୃତ୍ତିରେ କିଶୋର ଶ୍ରମ ନିଷେଧ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର ପାଇଁ ଡାକ ବାଜିଯନ୍ତ୍ର ଓ ପ୍ରଚାର ପତ୍ର ବଣ୍ଟନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ଶ୍ରମଅଧିକାରୀ ଶ୍ରୀମତୀ ଦୁରୁକା କହିଛନ୍ତି।




ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।