Hot Posts

6/recent/ticker-posts

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ଓ ଅତିବୃଷ୍ଟି ମୁକାବିଲା ପାଇଁ ଟେବୁଲ ଟପ୍ ଅଭ୍ୟାସ ଆୟୋଜିତ

ସୁବର୍ଣ୍ଣପୁର, ୧୮/୦୬ ( ଜଗଦିଶ ମେହେର ) : ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ଅତିବୃଷ୍ଟି ଓ ବନ୍ୟାଜନିତ ପରିସ୍ଥିତିର ସଫଳ ମୁକାବିଲା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିର ସମୀକ୍ଷା ଉଦ୍ଦେଶ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଙ୍କ ଅଧକ୍ଷତା ରେ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ଶାଖା ପକ୍ଷରୁ ଏକ ଟେବୁଲ ଟପ୍ ଅଭ୍ୟାସ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଭାଗ ଅଂଶଗ୍ରହଣ କରି ସେମାନଙ୍କର ପ୍ରସ୍ତୁତି ଏବଂ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ। ଏହି କାର୍ଯକ୍ରମରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରଣୀ ଦାସ ପ୍ରମୁଖ ଉପସ୍ଥିତ। ଅଭ୍ୟାସକୁ ପରିଚାଳନା କରିଥିଲେ ଡେପୁଟି କଲେକ୍ଟର ଜରୁରୀ ଶାଖା ରାଜେଶ ସାହୁ । ବିଭିନ୍ନ ବିଭାଗ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ (PPT) ମାଧ୍ୟମରେ ବନ୍ୟା ଓ ଅତିବୃଷ୍ଟି ସମୟରେ ଉପଲବ୍ଧ ମାନବ ସମ୍ବଳ, ଯନ୍ତ୍ରପାତି, ଉଦ୍ଧାର ସାମଗ୍ରୀ ଓ ଆବଶ୍ୟକ ସମ୍ବଳ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଗତ 28 ତାରିଖରେ ଘଟିଥିବା କାଳବୈଶାଖୀ ଓ ପବନ-ବର୍ଷା ସମୟରେ ଅଗ୍ନିଶମ, ବିଦ୍ୟୁତ, ପୌରସଂସ୍ଥା ଓ ଅନ୍ୟାନ୍ୟ ବିଭାଗର ସମନ୍ୱିତ ପ୍ରୟାସ ଯୋଗୁଁ ଚାରି ଦିନ ମଧ୍ୟରେ ସାଧାରଣ ଜନଜୀବନ ସ୍ୱାଭାବିକ ହୋଇଥିବା ଅନୁଭୂତି ମଧ୍ୟ ସମ୍ପୃକ୍ତ ଅଧିକାରୀମାନେ ବାଣ୍ଟିଥିଲେ। ଅଭ୍ୟାସରେ ଜିଲ୍ଲାର ସମସ୍ତ ଛଅଟି ବ୍ଲକର ବନ୍ୟାପ୍ରବଣ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ କିପରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ, ଉଦ୍ଧାର ଓ ରାହାତ କାର୍ଯ୍ୟ କିପରି ପରିଚାଳିତ ହେବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶୂନ୍ୟ ଜନହାନି’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ସହ କୌଣସି ବ୍ୟକ୍ତି ଯେପରି ରିଲିଫ ଓ ଉଦ୍ଧାର ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ବ୍ଲକ ସ୍ତରୀୟ ଅଧିକାରୀମାନେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ରାଜ୍ୟ ରିଲିଫ କମିଶନର (SRC)ଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବା, କ୍ଷୟକ୍ଷତିର ତ୍ୱରିତ ଆକଳନ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଅନୁଗ୍ରହ ରାଶି ଓ ଅନ୍ୟାନ୍ୟ ସହାୟତା ପହଞ୍ଚାଇବା ଉପରେ ଆଲୋଚନା କରାଯାଇଥିଲା। କୃଷି ବିଭାଗ ପକ୍ଷରୁ ଚାଷଜମିର କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ରିଲିଫ ମୁଖି ନ ହୋଇ ପ୍ରସ୍ତୁତିମୁଖୀ ଦୃଷ୍ଟିକୋଣ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲା। ମାନବିକତାକୁ ପ୍ରାଧାନ୍ୟ ଦେଇ ପୂର୍ବ ପ୍ରସ୍ତୁତି ସୁଦୃଢ଼ କରିବା, ରେଡକ୍ରସ ରିଲିଫ ସାମଗ୍ରୀ ସଂରକ୍ଷଣ ପାଇଁ ଗୋଦାମ ବ୍ୟବସ୍ଥା କରିବା ଏବଂ ପ୍ରତ୍ୟେକ ବିଭାଗ ନିଜସ୍ୱ ବିକଳ୍ପ କାର୍ଯ୍ୟଯୋଜନା (Plan-B) ପ୍ରସ୍ତୁତ ରଖିବା ଉପରେ ଜୋର ଦିଆଯାଇଥିଲା। ଏହାସହ ବିଭିନ୍ନ ବିଭାଗକୁ ନିଜସ୍ୱ ଶକ୍ତି ଓ ଦୁର୍ବଳତାର ବିଶ୍ଳେଷଣ କରି ଯେକୌଣସି ପରିସ୍ଥିତିରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସର୍ବଦା ସଜାଗ, ପ୍ରସ୍ତୁତ ଏବଂ ଜନସେବା ପ୍ରତି ପ୍ରତିବଦ୍ଧ ରହିବାକୁ ଆହ୍ୱାନ କରାଯାଇଥିଲା।