Hot Posts

6/recent/ticker-posts

ସୁବର୍ଣ୍ଣପୁର ରେ ଉଦଘାଟନ ହେଲା ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ୨୭/୦୬ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ନୂଆ ଟାଉନ ହଲରେ "ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ"ର ଉଦଘାଟନ କରିଥିଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା। ପ୍ରଦର୍ଶନୀରେ ମୋଟ ୨୨ଟି ଷ୍ଟଲ୍ ରହିଛି ଏବଂ ସେଥିମଧ୍ୟରୁ ୬ଟି ଷ୍ଟଲ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଆଜିଠାରୁ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ସାଧାରଣ ପରିଚାଳିକା, ଜିଲ୍ଲା ଶିଳ୍ପ କେନ୍ଦ୍ର, ସୁବର୍ଣ୍ଣପୁର, ସୁଶ୍ରୀ ସୁଷମା କରାଳି ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ତାମାସୀ ତାମସ୍ମିତା ନାଏକ, ଏଲ୍.ଡି.ଏମ୍., ସୁବର୍ଣ୍ଣପୁର, ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ପଣ୍ଡା ଏବଂ ଡି.ଡି.ଏମ୍., ନାବାର୍ଡ, ଡ. ସତ୍ୟସ୍ୱରୂପ ବିଦାନ୍ତ। ପ୍ରଦର୍ଶନୀ ଅବସରରେ ଉଦ୍ୟୋଗୀତା, ଋଣ ସହାୟତା, ବ୍ୟାଙ୍କିଂ ସୁବିଧା, ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସଶକ୍ତିକରଣ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ବିପଣନ, ବ୍ରାଣ୍ଡିଂ, ଡିଜିଟାଲାଇଜେସନ ଓ ଉଦ୍ୟୋଗୀତା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହିତ ଉଦ୍ୟୋଗୀତା ବିଷୟ ଉପରେ ପ୍ରବନ୍ଧ, ବିତର୍କ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରଦର୍ଶନୀର ଶେଷ ଦିନରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସହିତ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ଯେ ଦେଶରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଚାକିରି ପାଉଛନ୍ତି। ଏହି କ୍ଷେତ୍ରରେ ଗ୍ରାମୀଣ ଲୋକମାନେ ଅଧିକାଂଶ ଭାବରେ କାମ କରୁଛନ୍ତି। ଏହାଛଡ଼ା ଋଣରେ ମଧ୍ୟ ୮୦୦ କୋଟି ଟଙ୍କା ଏହି କ୍ଷେତ୍ରକୁ ଦିଆଯାଉଛି। ବିଧାୟକ ଶ୍ରୀ ଜଗଦଲା କହିଥିଲେ ଯେ ସରକାର ଜନସାଧାରଣଙ୍କର ଆୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି କ୍ଷେତ୍ରରେ ଆମେ ଆମର କୌଳିକ ବୃତ୍ତିର ବିକାଶ କରିପାରିବା।