କଳାହାଣ୍ଡି ଗସ୍ତରେ ଏଆଇସିସି ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ଶ୍ରୀ ଜେଟୀ କୁସୁମ
ଭବାନୀପାଟଣା, ୦୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ଶ୍ରୀ ଜେଟୀ କୁସୁମଙ୍କ କଳାହାଣ୍ଡି ଗସ୍ତ ଅବସରରେ ଆଜି ପୂର୍ବାହ୍ନ ୯ଟା ସମୟରେ ସ୍ଥାନୀୟ ଶ୍ରୀକୃଷ୍ଣ ନଗର ନିକଟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ଏକ ବିରାଟ ମଟରସାଇକେଲ ରାଲି ମାଧ୍ୟମରେ ତାଙ୍କୁ ସ୍ଥାନୀୟ ଟାଉନ ହଲ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ଟାଉନ ହଲ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ନିର୍ବାଚିତ ପ୍ରତିନିଧି, ବ୍ଲକ ସଭାପତି, ବ୍ଲକ ଓ ନଗର କମିଟିର କର୍ମକର୍ତ୍ତାଙ୍କ ସହିତ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ଅନୁସୂଚିତ ଜାତି କଂଗ୍ରେସ, ଅନୁସୂଚିତ ଜନଜାତି କଂଗ୍ରେସ, ଓବିସି ସେଲ, କିଷାନ ସେଲ, ସଂଖ୍ୟାଲଘୁ ସେଲ, ଆରଜିପିଆରଏସ୍ ସେଲ ଏବଂ ଲିଗାଲ ସେଲର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା, ବ୍ଲକ ଓ ନଗର କମିଟିର ସାଙ୍ଗଠନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହ ଆଗାମୀ ପୌରପାଳିକା, ଏନଏସି ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ବିଏଲଏ-୧ ଓ ବିଏଲଏ-୨ ଙ୍କ କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକକୁ ସମ୍ବୋଧିତ କରି ଶ୍ରୀ କୁସୁମ କହିଥିଲେ ଯେ, ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ବ୍ଲକ ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ ସ୍ଥିତିର ତଦାରଖ କରାଯିବ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀମାନଙ୍କୁ ଏକଜୁଟ ହୋଇ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସର ବହୁ ବରିଷ୍ଠ ନେତା, ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ