Hot Posts

6/recent/ticker-posts

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ନୂଆ ଭବନ ନିର୍ମାଣକୁ ସବୁଜ ସଙ୍କେତ

ବଲାଙ୍ଗୀର, ୦୮/୦୬
( ମୋତିଲାଲ ସାହୁ ) : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମଲମୁଣ୍ଡାର ନୂତନ ବିଦ୍ୟାଳୟ ଭବନର ଶିଳାନ୍ୟାସ ଉତ୍ସବ ଆଜି ବହୁ ଉତ୍ସାହ ଓ ଜନସହଭାଗିତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଡି ଆର ଡି ଏ ପ୍ରତିନିଧି ରାଜେନ୍ଦ୍ର ବିଜୟ ସାହୁ; ଜୋନ ୧୮  ଜିଲ୍ଲା ପରିଷଦ ସଦସ୍ୟ କୁମରମଣି ସେଠ,  ମଲମୁଣ୍ଡ ସରପଞ୍ଚ ବିଷ୍ଣୁ ପ୍ରସାଦ ପଟେଲ,  ପଂଚାୟତ ସମିତି ସଭ୍ୟ ସତ୍ୟାନନ୍ଦ ରାଉତ, ନନ୍ଦଲାଲ ସେଠ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି;  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ,  ପୁଇଁତଳା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଏବଂ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିତ୍ୟାନନ୍ଦ ଗଣ୍ଡ (ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ), ପୃଥ୍ୱୀରାଜ ହରିଚନ୍ଦନ (ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ), ସୁରେଶ ପୂଜାରୀ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ), ଏନ୍. ତିରୁମଲା ନାୟକ, କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନନ୍ୟା ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ଓସେପା ଯୋଗ ଦେଇ ବିଦ୍ୟାଳୟର ଉତ୍ତରୋତ୍ତର ପ୍ରଗତି ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ମୂଳଭିତ୍ତିକ ଶିକ୍ଷାର ସୁଦୃଢ଼ୀକରଣ ଓ ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ନୂତନ ବିଦ୍ୟାଳୟ ଭବନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧୁନିକ, ନିରାପଦ ଓ ଶିଶୁ-ବନ୍ଧବ ଶିକ୍ଷା ପରିବେଶ ସୃଷ୍ଟି କରିବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ବିଆରଟି ଅଳକା ଦାଶ ସୁନ୍ଦର ଭାବେ ସଂଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସିଆରସିସି ପ୍ରମୋଦ କୁମାର ପଟେଲ ଧନ୍ୟବାଦ ଅର୍ପଣ କରି ସମସ୍ତ ଶିକ୍ଷକ, ଅତିଥି, ଅଧିକାରୀ, ଅଭିଭାବକ, ଗ୍ରାମବାସୀ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ଜନସାଧାରଣ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଶିକ୍ଷା ସହ ଜଡିତ ବିଭିନ୍ନ ମହଳର ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା। ମଲମୁଣ୍ଡା ଗ୍ରାମର ଶିକ୍ଷା କ୍ଷେତ୍ରରେ ଏହା ଏକ ଐତିହାସିକ ଓ ମାଇଲଖୁଣ୍ଟ ସଦୃଶ ପଦକ୍ଷେପ ବୋଲି ମନେ କରାଯାଉଛି।