Hot Posts

6/recent/ticker-posts

ନାଇଟ୍ ସର୍କଲ ଟୁର୍ଣ୍ଣାମେଣ୍ଟରେ ଜମିଲା କ୍ରିକେଟ୍ ମହାସମର, ଶେଷ ଲଢ଼େଇରେ ୩ ଦଳ

ନୂଆପଡ଼ା, ୨୪/୦୬ ( ପରମେଶ୍ୱର ମେହେର ) : ସିନାପାଲିର ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ସିନାପାଲି କ୍ରିକେଟ୍ କପ୍ (ନାଇଟ୍ ସର୍କଲ ଟୁର୍ଣ୍ଣାମେଣ୍ଟ) ଅଞ୍ଚଳର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି । ଏହି ଟୁର୍ଣ୍ଣାମେଣ୍ଟର ବିଶେଷତ୍ୱ ହେଉଛି ସମସ୍ତ ମ୍ୟାଚ୍ ଲଟେରୀ ପଦ୍ଧତିରେ ଆୟୋଜିତ ହେବା, ଯାହା ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଗତ ୨୧ ତାରିଖରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ଲଗାତାର ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ପରେ ପାଗ ଅନୁକୂଳ ହେବା ପରେ ୨୩ ଜୁନ୍ ଠାରୁ ଖେଳ ଆରମ୍ଭ ହୋଇଥିଲା ।ଟୁର୍ଣ୍ଣାମେଣ୍ଟରେ ଅନେକ ଶକ୍ତିଶାଳୀ ଦଳ ଭାଗ ନେଇଥିବାବେଳେ କରଙ୍ଗମାଳ, କରଲାପଡା ଓ କାସିବାହାଲ ଦଳ ନିଜର ଚମତ୍କାର ପ୍ରଦର୍ଶନ ଯୋଗୁଁ ତିନିଟି ଦଳ ବିଜୟୀ ହୋଇ ଉଭା ହୋଇଛନ୍ତି । ଆସନ୍ତାକାଲି ଏହି ତିନି ଦଳ ମଧ୍ୟରେ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ବିଜେତା ଓ ଉପବିଜେତା ନିର୍ଦ୍ଧାରିତ ହେବେ । ଏହି ନିର୍ଣ୍ଣାୟକ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ଦର୍ଶକମାନେ ଆଶା ପ୍ରକାଶ କରିଛନ୍ତି ।ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ଓ ପରିଚାଳନା ଅବସରରେ ସିନାପାଲି ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାପ୍ରେମୀ ଓ ସମାଜସେବୀ ମଞ୍ଚାସୀନ ଥିଲେ । ଖେଳ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ସମାଗମ ଘଟିଥିଲା ଏବଂ ରାତ୍ରିକାଳୀନ ମ୍ୟାଚ୍‌ଗୁଡ଼ିକୁ ସେମାନେ ଭରପୁର ଉପଭୋଗ କରିଥିଲେ । ଲଟେରୀ ଭିତ୍ତିକ ଅଭିନବ ପ୍ରତିଯୋଗିତା ପଦ୍ଧତି ଓ ରୋମାଞ୍ଚକର ମ୍ୟାଚ୍‌ଗୁଡ଼ିକ ଯୋଗୁଁ ସିନାପାଲି କ୍ରିକେଟ୍ କପ୍ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।