ମାଲକାନଗିରି, ୨୦/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ବନଖଣ୍ଡ ଅଧିନସ୍ଥ କାଲିମେଳା ବନାଞ୍ଚଳ ଏବଂ କାଲିମେଳା ମହା ଗ୍ରାମସଭାର ମିଳିତ ଆୟୋଜନରେ ବାଉଁଶ ଅମଳ ପ୍ରଣାଳୀ ଉପରେ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାକାଲଗୁଣ୍ଡି ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣରେ ଗ୍ରାମସଭାର ନେତୃତ୍ୱ, ସମୁଦାୟ ସଦସ୍ୟ, ବନ ବିଭାଗର ଅଧିକାରୀ, ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଟିମ୍ ସଦସ୍ୟ ଏବଂ ବିଭିନ୍ନ ଗବେଷକ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ବନ ବିଭାଗର ଅଧିକାରୀମାନେ ବାଉଁଶର ବୈଜ୍ଞାନିକ ଏବଂ ସ୍ଥାୟୀ ଅମଳ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଗ୍ରାଉଣ୍ଡ ସ୍ତରରେ ପ୍ରାୟୋଗିକ ପ୍ରଦର୍ଶନ ମାଧ୍ୟମରେ ଗ୍ରାମସଭା ନେତାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ମାଲକାନଗିରିର ବନ ଖଣ୍ଡ ଅଧିକାରୀ ସାଇ କିରନ ଉପସ୍ଥିତ ରହି ଗ୍ରାମସଭାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଜଙ୍ଗଲ ସୁରକ୍ଷା, ଅବୈଧ ଗଛ କଟା ରୋକିବା, ବନ୍ୟପ୍ରାଣୀ ଶିକାର ବନ୍ଦ କରିବା ଏବଂ ପରିବେଶ ସଂରକ୍ଷଣ ପାଇଁ ସମୁଦାୟ ଭିତ୍ତିକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ସମାଜ ମଧ୍ୟରେ ଜଙ୍ଗଲ ଓ ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ସକାରାତ୍ମକ ବାର୍ତ୍ତା ପ୍ରଚାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଟିମ୍ ସଦସ୍ୟ ଓ ଅନ୍ୟାନ୍ୟ ଗବେଷକମାନେ ବାଉଁଶ ପରିଚାଳନା, ସଠିକ୍ ଅମଳ ପଦ୍ଧତି, ବଜାର ସୁଯୋଗ ଏବଂ ଜୀବିକା ବିକାଶ ସମ୍ପର୍କରେ ମୂଲ୍ୟବାନ ମାର୍ଗଦର୍ଶନ ଦେଇଥିଲେ।ଏହି ପ୍ରଶିକ୍ଷଣ ଗ୍ରାମସଭା ନେତା ଓ ସମୁଦାୟ ସଦସ୍ୟଙ୍କ କୌଶଳ ବୃଦ୍ଧି ସହ ବାଉଁଶ ସମ୍ପଦର ସୁସ୍ଥାୟୀ ବ୍ୟବହାରକୁ ଉତ୍ସାହିତ କରିବ। ଶେଷରେ, କାଲିମେଳା ମହା ଗ୍ରାମସଭାର ନେତାମାନେ ବନ ବିଭାଗ, ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଟିମ୍ ଏବଂ ସମସ୍ତ ବିଶେଷଜ୍ଞଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନେ ଆଶା ପ୍ରକାଶ କରିଥିଲେ ଯେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଚଳିତ ବର୍ଷ ବାଉଁଶ ଅମଳ କାର୍ଯ୍ୟ ସଫଳ ହେବ ଏବଂ କାନମ ରାଜ୍ ଗ୍ରୀନ ଶକ୍ତି ପ୍ରୋଡ୍ୟୁସର କମ୍ପାନୀ କାଲିମେଳା ମାଧ୍ୟମରେ ବାଉଁଶ ବିକ୍ରୟ କରି ସ୍ଥାନୀୟ ଲୋକଙ୍କ ଜୀବିକାରେ ଉନ୍ନତି ଆସିବ। ଏହି କାର୍ଯ୍ୟକ୍ରମ ଗ୍ରାମସଭା ଆଧାରିତ ଜଙ୍ଗଲ ପରିଚାଳନା, ବାଉଁଶ ସମ୍ପଦର ସୁସ୍ଥାୟୀ ବ୍ୟବହାର ଏବଂ ସ୍ଥାନୀୟ ଜୀବିକା ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।

