Hot Posts

6/recent/ticker-posts

ଏସ୍‌ବିଆଇ ମାଲକାନଗିରି ଶାଖାରେ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମର ସମାପନ ଉତ୍ସବ

ମାଲକାନଗିରି, ୧୯/୦୬ ( ଶରତ ଚନ୍ଦ୍ର ଖରା ) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ମାଲକାନଗିରି ଶାଖା ପକ୍ଷରୁ ମାଲକାନଗିରି ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମର ସମାପନ ଉତ୍ସବ ଶୁକ୍ରବାର ଦିନ ଶାଖାର ବ୍ୟାଙ୍କିଙ୍ଗ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବର୍ଷ ୨୦୨୬-୨୭ ଅଧୀନରେ ସ୍ନାତକ ପାଠ୍ୟକ୍ରମର ଚତୁର୍ଥ ସେମିଷ୍ଟରର ୨୪ ଜଣ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଏହି ଇଣ୍ଟର୍ନଶିପ୍ ସଫଳତାର ସହ ସମାପ୍ତ ହୋଇଥିବା ଅବସରରେ ଏହି ଉତ୍ସବ ପାଳନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କିଙ୍ଗ କାର୍ଯ୍ୟପ୍ରଣାଳୀ, ଆର୍ଥିକ ସେବା ଓ କ୍ୟାରିୟର ସୁଯୋଗ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ମାଲକାନଗିରି ମହାବିଦ୍ୟାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରବୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବାକୁ ପରାମର୍ଶ ଦେଇଥିଲେ।
ସଫଳ କ୍ୟାରିୟର ଗଠନ ପାଇଁ କଠିନ ପରିଶ୍ରମ, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ନିରନ୍ତର ଶିକ୍ଷାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ବିଆଇ ଜୟପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟ, ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଚିତ୍ତ ରଞ୍ଜନ ବାରିକ, ବାଣିଜ୍ୟ ବିଭାଗ ମୁଖ୍ୟ ଓ କାର୍ଯ୍ୟକ୍ରମ ସଂଯୋଜକ ଡ଼. ରଞ୍ଜନ କୁମାର ସ୍ୱାଇଁ, ଏସ୍‌ବିଆଇ ମାଲକାନଗିରି ଶାଖାର ମୁଖ୍ୟ ପ୍ରବନ୍ଧକ ବିନୋଦ କୁମାର ବିଶୋୟୀ ଏବଂ ଉପଶାଖା ପ୍ରବନ୍ଧକ ଅଜିତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏଥିସହ ବ୍ୟାଙ୍କର ଅଧିକାରୀ, ଗ୍ରାହକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଉପଶାଖା ପ୍ରବନ୍ଧକ ଶ୍ରୀ ଅଜିତ କୁମାର ଆଚାର୍ଯ୍ୟଙ୍କ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିନୋଦ କୁମାର ବିଶୋୟୀ ଇଣ୍ଟର୍ନଶିପ୍‌ର ଉଦ୍ଦେଶ୍ୟ ଓ ସଫଳତା ବିଷୟରେ ଆଲୋକପାତ କରି ଏହା ଶିକ୍ଷାଗତ ଜ୍ଞାନ ଓ ବ୍ୟବହାରିକ ବ୍ୟାଙ୍କିଙ୍ଗ ଜ୍ଞାନ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହାୟକ ହୋଇଥିବା କହିଥିଲେ। ଇଣ୍ଟର୍ନଶିପ୍ ସମୟରେ ଛାତ୍ରଛାତ୍ରୀମାନଙ୍କୁ ପିଏମ୍‌ଜେଜେବିୱାଇ, ପିଏମ୍‌ଏସ୍‌ବିୱାଇ, ଅଟଳ ପେନ୍‌ସନ ଯୋଜନା, ସଞ୍ଚୟ ଓ ଚଳନ୍ତି ଜମା ଖାତା, ସ୍ଥାୟୀ ଜମା, ଆବର୍ତ୍ତୀ ଜମା, ବ୍ୟକ୍ତିଗତ ଋଣ, କୃଷି ଋଣ, ଏସ୍‌ଏମ୍‌ଇ ଋଣ, ମୁଦ୍ରା ଋଣ, ପିଏମ୍‌ ସ୍ୱନିଧି, ପିଏମ୍‌ଇଜିପି, ପିଏମ୍‌ ବିଶ୍ୱକର୍ମା, ମ୍ୟୁଚୁଆଲ ଫଣ୍ଡ, ଏସ୍‌ବିଆଇ ଲାଇଫ୍ ଇନ୍‌ସୁରାନ୍ସ, କ୍ରେଡିଟ୍ କାର୍ଡ, ଡିଜିଟାଲ ବ୍ୟାଙ୍କିଙ୍ଗ ସେବା, ଗ୍ରାହକ ସମ୍ପର୍କ ପରିଚାଳନା ଏବଂ ଆର୍ଥିକ ସାକ୍ଷରତା ସମ୍ପର୍କରେ ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସେହିପରି ସରକାରୀ ଚାକିରି, ବ୍ୟାଙ୍କିଙ୍ଗ କ୍ୟାରିୟର, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ପ୍ରସ୍ତୁତି କୌଶଳ ଉପରେ ମଧ୍ୟ ମାର୍ଗଦର୍ଶନ ସତ୍ର ଆୟୋଜିତ ହୋଇଥିଲା। ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପ୍ରକାଶ ଗ୍ରହାଚାର୍ଯ୍ୟ ଶିକ୍ଷାର ଗୁରୁତ୍ୱ ଏବଂ ଆର୍ଥିକ ବିକାଶରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ବର୍ଦ୍ଧିତ ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଡ଼. ଚିତ୍ତ ରଞ୍ଜନ ବାରିକ ଏସ୍‌ବିଆଇର ଏହି ପଦକ୍ଷେପକୁ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାରିକ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଡ଼. ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିନୋଦ କୁମାର ବିଶୋୟୀ, ଉପଶାଖା ପ୍ରବନ୍ଧକ ଶ୍ରୀ ଅଜିତ କୁମାର ଆଚାର୍ଯ୍ୟ ଏବଂ ସମସ୍ତ ଏସ୍‌ବିଆଇ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମହାବିଦ୍ୟାଳୟ ପକ୍ଷରୁ ଶ୍ରୀ ବିଶୋୟୀ ଓ ଶ୍ରୀ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଜନମଞ୍ଜୟ ମଣ୍ଡଳ, ଏମ୍‌ଡି ଉଜୈଫ୍ ଅନ୍‌ସାରୀ ଓ ଶ୍ରୁତି ରାଣୀ କର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃଷି କାର୍ଯ୍ୟରେ ପିତାମାତାଙ୍କୁ ସହଯୋଗ କରିବା ସହ ପାଠପଢ଼ା ଜାରି ରଖିଥିବାରୁ ଗଣେଶ ପ୍ରଧାନୀ, ଚନ୍ଦନ ମାଡ଼କାମୀ ଓ ରାକେଶ କୁମାର ଖିଲାଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଶତପ୍ରତିଶତ ଉପସ୍ଥାନ ପାଇଁ ଜ୍ୟୋତି କବାସୀ, ପିଣ୍ଟୁ ପୁନେମ ଓ ଚିନ୍ମୟୀ ଭୂମିଆଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଯୋଗୀତା ରାଠୋଡ଼ ଧନ୍ୟବାଦ ଅର୍ପଣ କରି ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି, ଛାତ୍ରଛାତ୍ରୀ, ବ୍ୟାଙ୍କ କର୍ମକର୍ତ୍ତା, ଗ୍ରାହକ ଏବଂ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।




ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।