Hot Posts

6/recent/ticker-posts

ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ

ନୂଆପଡ଼ା, ୧୨/୦୬ ( ପରମେଶ୍ୱର ମେହେର ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗରିବ ଓ ଅଭାବୀ ପରିବାରଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ସ୍ଥାନୀୟ ନ୍ୟାସନାଲ କଲେଜ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ମାଧ୍ୟମରେ ନୂଆପଡ଼ା ଜିଲ୍ଲାର ୫ ଲକ୍ଷ ୫୬ ହଜାର ୯୩୨ ଜଣ ହିତାଧିକାରୀ ଅତିରିକ୍ତ ମାଗଣା ଚାଉଳ ପାଇବେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ହିତାଧିକାରୀମାନେ ଭୁବନେଶ୍ୱରସ୍ଥ ଆଇଡିକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍‌ଘାଟନୀ ସମାରୋହର ସିଧାପ୍ରସାରଣ ଅବଲୋକନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ସ୍ପେଶାଲ ଡେଭଲପମେଣ୍ଟ କାଉନ୍ସିଲ ଅଧ୍ୟକ୍ଷ ହୋମସିଂ ମାଝୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଖରିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ ଓ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌) ଅଧୀନରେ ଥିବା ସମସ୍ତ ଯୋଗ୍ୟ ରାସନ କାର୍ଡଧାରୀ ହିତାଧିକାରୀ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ ଜଣପିଛା ପ୍ରତିମାସ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ଯୋଜନାଟି ଏପ୍ରିଲ-୨୦୨୬ରୁ ଲାଗୁ ହୋଇଥିବାରୁ ହିତାଧିକାରୀମାନେ ଏପ୍ରିଲ, ମେ ଓ ଜୁନ ମାସର ମୋଟ ୧୫ କିଲୋଗ୍ରାମ ଅତିରିକ୍ତ ଚାଉଳ ଏକକାଳୀନ ଭାବେ ପାଇବେ।ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ୧୪୮ଟି ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ର ରହିଛି। ଜିଲ୍ଲାର ୧,୮୯,୯୧୬ଟି ରାସନ କାର୍ଡଧାରୀ ପରିବାରର ୫,୫୬,୯୩୨ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଏହି ଅବସରରେ ୧୨ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୦ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ। ଆରମ୍ଭରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱଚ୍ଛ ଭାରତ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।


ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ