Hot Posts

6/recent/ticker-posts

ଦ୍ୱିତୀୟ ପର୍ଯ୍ୟାୟରେ ଝରୀଗାଁ ବ୍ଲକର ୬ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଝରୀଗାଁ, ୦୭/୦୬ ( ନକୁଳ ଭତ୍ରା ) : ରାଜ୍ୟ ସରକାରଙ୍କ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟରେ ଝରୀଗାଁ ବ୍ଲକର ୬ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ରବିବାର ଦିନ ଭର୍ଚୁଆଲ୍ ମାଧ୍ୟମରେ ସମ୍ପନ୍ନ ହୋଇଛି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ମୋଟ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଝରୀଗାଁ ବ୍ଲକର ବନୁଆଗୁଡ଼ା, ଚିତାବେଡ଼ା, ଇଚ୍ଛାପୁର, ଚକଳାପଦର, ଝରୀଗାଁ ଓ କୁଟ୍ରିଚାପର ଅଞ୍ଚଳରେ ଏହି ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରାଯାଇଛି। ନିର୍ମାଣ ପରେ ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଶ୍ରେଣୀଗୃହ, ବିଜ୍ଞାନ ଓ କମ୍ପ୍ୟୁଟର ଲ୍ୟାବ୍, ପାଠାଗାର ସହ ବିଭିନ୍ନ ମୌଳିକ ସୁବିଧା ଉପଲବ୍ଧ ହେବ। ଏହା ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ପାଇବେ। ଏହି ଅବସରରେ ଝରୀଗାଁ ବିଧାୟକ ନରସିଂ ଭତରା, ବିଧାୟକ ପ୍ରତିନିଧି ଗଣପତି ସାହୁ, ସମିତି ସଭ୍ୟ ଓ ସଭ୍ୟା, ସରପଞ୍ଚ ଓ ନାୟବ ସରପଞ୍ଚ, ବ୍ଲକ ପ୍ରଶାସନର ଅଧିକାରୀ, ଶିକ୍ଷା ବିଭାଗର କର୍ମକର୍ତ୍ତା, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ଅଭିଭାବକ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ନୂତନ ବିଦ୍ୟାଳୟଗୁଡ଼ିକ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ। ଏହି ପଦକ୍ଷେପକୁ ନେଇ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ସେମାନେ ଏହାକୁ ଅଞ୍ଚଳର ଶିକ୍ଷା କ୍ଷେତ୍ର ପାଇଁ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି।


ରିପୋର୍ଟ: ନକୁଳ ଭତ୍ରା, ଝରୀଗାଁ