ବିକଶିତ ଓଡ଼ିଶା ଗଠନ ଦିଗରେ ସରକାରୀ ଯୋଜନାର ପ୍ରଚାର ପାଇଁ ପ୍ରସ୍ତୁତି ବୈଠକ
ଝରୀଗାଁ, ୧୧/୦୬ (ନକୁଲ ଭତରା) : ରାଜ୍ୟବ୍ୟାପୀ Government Outreach and Citizen Engagement Programme କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏନେଇ ବ୍ଲକ ଉନ୍ନୟନ ଅଧିକାରୀ ସମସ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ୧୮ ଜୁନରେ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ୧୮ରୁ ୨୩ ଜୁନ ପର୍ଯ୍ୟନ୍ତ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ତହସିଲ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, କୃଷି, ବନ, ପୋଲିସ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିବେ। ଜାରି ନିର୍ଦ୍ଦେଶ ଅନୁସାରେ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ନିଜ କ୍ଷେତ୍ରର ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା, ସରକାରୀ ସହାୟତା, ପ୍ରମାଣପତ୍ର ଓ ଅନ୍ୟାନ୍ୟ ସେବା ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ରେକର୍ଡ ଓ ହିତାଧିକାରୀ ତାଲିକା ସହ ଉପସ୍ଥିତ ରହିବାକୁ କୁହାଯାଇଛି। ଏହାସହ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବା ଏବଂ ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ଗୁରୁବାର ଅପରାହ୍ନ ୩ଟାରେ ଝରୀଗାଁ ବ୍ଲକ କନଫରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରୀ ଯୋଜନାର ଲାଭ ଶେଷ ଧାଡ଼ିର ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।