ମଣ୍ଡିରେ ମାନ୍ଦା ଧାନ କିଣା: ମିଲର୍ସ ଓ ପ୍ରଶାସନର ମନମାନି, କାଳବୈଶାଖୀ ଚିନ୍ତାରେ କାନ୍ଦୁଛି ଚାଷୀ! ଖୋଲା ଆକାଶ ତଳେ ହଜାର ହଜାର କ୍ୱିଣ୍ଟାଲ ଧାନ, କୋକସରା-ଜୟପାଟଣାରେ ଗଜା ହେଲାଣି ସୁନା ଫସଲ!
କୋକସରା, ୨୪/୦୬ ( ରିତେଶ କୁମାର ମୁଣ୍ଡ ) : ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ମଣ୍ଡି ଖୋଲିଛି ସତ, ହେଲେ ଧାନ ଉଠୁନି। ମିଲର୍ସଙ୍କ ମନମାନି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏବେ ବଳିର ବୋଦା ସାଜିଛନ୍ତି ଅନ୍ନଦାତା। କୋକସରା, ଜୟପାଟଣା, କଳମପୁର ଏବଂ ଧର୍ମଗଡ଼ ଅଞ୍ଚଳର ଅନେକ ମଣ୍ଡିରେ ଏବେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଏପଟେ କାଳବୈଶାଖୀର ଭୟ, ସେପଟେ ମଣ୍ଡିରେ ପଡ଼ି ରହି ଧାନ ଗଜା ହେବାର ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଘର୍ମାକ୍ତ କ୍ଷେତରୁ ସୁନା ଫସଲ ଅମଳ କରି ମଣ୍ଡିକୁ ଆଣିଥିଲା ଚାଷୀ। ଭାବିଥିଲା ଦୁଇ ପଇସା ପାଇବ, ପରିବାର ପ୍ରତିପୋଷଣ କରିବ। ହେଲେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ସେହି ଆଶା ଏବେ ମାଟିରେ ମିଶିବାକୁ ବସିଛି। ଜିଲ୍ଲାର କୋକସରା, ଜୟପାଟଣା, କଳମପୁର ଓ ଧର୍ମଗଡ଼ ବ୍ଲକର ପ୍ରମୁଖ ମଣ୍ଡିଗୁଡ଼ିକରେ ଧାନ ଉଠି ନପାରି ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶାସନର ଢିଲା ନୀତି ଏବଂ ମିଲର୍ସଙ୍କ ସ୍ୱେଚ୍ଛାଚାରିତା ଯୋଗୁଁ ଦିନ ଦିନ ଧରି ମଣ୍ଡିରେ ଜଗି ରହିଛନ୍ତି ଶହ ଶହ ଚାଷୀ। ଖାଲି ସେତିକି ନୁହେଁ, ପାଣିପାଗ ବିଭାଗର କାଳବୈଶାଖୀ ସତର୍କ ସୂଚନା ଏବେ ଚାଷୀଙ୍କ ନିଦ ହଜାଇ ଦେଇଛି। ଆକାଶରେ ମେଘ ଦେଖିଲେ ଚାଷୀଙ୍କ ଛାତି ଧଡ଼ଧଡ଼ ହେଉଛି। ମଣ୍ଡିରେ ସୁରକ୍ଷିତ ବ୍ୟବସ୍ଥା ନଥିବାରୁ, ବର୍ଷା ପାଣିରେ ଭିଜି ଅନେକ ସ୍ଥାନରେ ଧାନ ଗଜା ହେବା ଆରମ୍ଭ ହେଲାଣି। ବିକ୍ରି ନହେବା ପୂର୍ବରୁ କଷ୍ଟାର୍ଜିତ ଫସଲ ନଷ୍ଟ ହେଉଥିବା ଦେଖି ଚାଷୀଙ୍କ ଆଖିରୁ ଲୁହ ଶୁଖୁନାହିଁ। ପ୍ରଶାସନ ସବୁ ଜାଣି ସୁଦ୍ଧା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହେଉଛି। ଧାନ କିଣାରେ ଏଭଳି ବ୍ୟବସ୍ଥା ଚାଷୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି। ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ କେବେ ଚେତୁଛି ଏବଂ ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଷୀଙ୍କ ଧାନ ଶୀଘ୍ର ଉଠାଉଛି।