Hot Posts

6/recent/ticker-posts

ଭୋଟର ଜାଗ୍ରତ ହୁଅନ୍ତୁ - ଜିଲ୍ଲାପାଳ

ରାୟଗଡ଼, ୦୯/୦୬ ( ଭି. ଗୌରି ଶଙ୍କର ରାଓ ) : ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଭୋଟର ତାଲିକାର ସଘନ ସଂଶୋଧନ ଆରମ୍ଭ ହୋଇଛି । ଏହା ଚଳିତ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ଭୋଟରଙ୍କୁ ଘର ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବା ସହ ତଥ୍ୟ ସଂଗ୍ରହ କରାଯାଉଛି,  ଜିଲ୍ଲାରେ ମୋଟ ୭୧୪୭୦୦ ଭୋଟରଙ୍କ ମଧ୍ୟରୁ ଦଶ ଦିନ ମଧ୍ୟରେ ପ୍ରାୟ ଶତକଡା ସତୁରି ଭାଗ ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଡେପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି । ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ୨୨୨୪୦୫, ବିଷମକଟକ ନିର୍ଵାଚନ ମଣ୍ଡଳୀ ରେ୨୩୪୯୦୨ ଓ ରାୟଗଡ ନିର୍ବାଚନ ମଣ୍ଡଳୀ ରେ ୨୫୭୩୯୩ ଜଣ ଭୋଟର ଅଛନ୍ତି । ସହରାଞ୍ଚଳରେ ଭୋଟରଙ୍କୁ ଚିହ୍ନଟ କରିବାରେ ସମସ୍ୟା ଥିବାରୁ ବଣ୍ଟନ ଓ ତଥ୍ୟ ସ‌ଂଗ୍ରହରେ ବିଳମ୍ବ ହେଉଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ରାୟଗଡ ସହରରେ ଏଥି ନିମନ୍ତେ ରାୟଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ରବିବାର ଦିନ ଏକ ବାଇକ ରାଲିର ଆୟୋଜନ ହୋଇଥିଲା । ସଚେତନତା ରଥ ଏବଂ ପ୍ରଚାର ଗାଡି ସହ ଶହ ଶହ ଭୋଟର, କର୍ମକର୍ତ୍ତା ଓ ଜନସାଧାରଣ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ସେହିଭଳି ଗ୍ରାମାଞ୍ଚଳରେ ଚୁନାବ ପାଠଶାଳା ମାଧ୍ୟମରେ ବୟସ୍କ, ଯୁବ ଭୋଟର ଓ ସ୍ୱେଚ୍ଛାସେବୀଙ୍କୁ ସଘନ ସଂଶୋଧନର ଉଦ୍ଦ୍ୟେଶ ଓ ଆବଶ୍ୟକତା ବିଷୟରେ ଆଲୋଚନା କରାଯାଉଥିବା ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରକାଶ କରିଛନ୍ତି । ଭୋଟର ଜାଗ୍ରତ ହୁଅନ୍ତୁ, ନିଜ ଅଧିକାରକୁ ସୁରକ୍ଷିତ ରଖିବାରେ ଯତ୍ନଶୀଳ ହୁଅନ୍ତୁ ବୋଲି ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । କୌଣସି ଯୋଗ୍ୟ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିବେ ନାହିଁ, ଅଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ନିମନ୍ତେ ଆହ୍ବାନ ଦେଇଛନ୍ତି। ଏହାର ସୁଫଳ ନିମନ୍ତେ ଜିଲ୍ଲା ସ୍ତରରେ ସମସ୍ତ ରାଜନୈତିକ ଦଳ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ଆଲୋଚନା କରି ବୁଥ ସ୍ତରରେ ସେମାନଙ୍କ ସହଯୋଗ କାମନା କରିଛନ୍ତି। ଅପରପକ୍ଷେ ନିଜ ପରିଗଣନା ଫର୍ମ ପୂରଣ କରି ବୁଥ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ନିମନ୍ତେ ନିବେଦନ କରିଛନ୍ତି। ଜଣେ ଭୋଟର ବାହାରେ ରହି ମଧ୍ୟ ନିଜର ପରିଗଣନା ଫର୍ମ ଅନଲାଇନ ଦାଖଲ କରିପାରିବେ । ଆସନ୍ତା ଜୁଲାଇ ପାଞ୍ଚ ତାରିଖରେ ପ୍ରକାଶ ହେବାକୁ ଥିବା ଚିଠା ଭୋଟର ତାଲିକାରେ ନିଜ ନାମ ସଂରକ୍ଷିତ ରଖିବା ପାଇଁ ଚଳିତ ଜୁନ ଆଠେଇଶି ତାରିଖ ପୂର୍ବରୁ ନିଜ ପରିଗଣନା ଫର୍ମ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଦାଖଲ କରି ଜଣେ ସଚେତନ ଭୋଟରର ପରିଚୟ ଦେବା ସହିତ ନିଜକୁ ଗର୍ବିତ ମନେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।