ଭବାନୀପାଟଣା, ୨୭/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ପାଇଁ ଏକ ଐତିହାସିକ ଦିନ ସୃଷ୍ଟି ହୋଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ କେସିଙ୍ଗା ସ୍ଥିତ କୁର୍ଲୁପଡା ଠାରେ ୪୮.୭୯ ଏକର ପରିମିତ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଥିଲେ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ଉଦ୍ୟୋଗମାନଙ୍କୁ ରିହାତି ଦରରେ ଜମି ଯୋଗାଇ ଦିଆଯିବ, ଯାହା ଜିଲ୍ଲାର ଶିଳ୍ପାୟନ କୁ ନୂଆ ଦିଗ ପ୍ରଦାନ କରିବ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ୪ଟି ନୂତନ ଏମ୍ଏସ୍ଏମ୍ଇ ୟୁନିଟ୍ ଉଦ୍ଘାଟନ କରାଯାଇଥିଲା। ସେଗୁଡ଼ିକ ହେଲା – କଲ୍ତିକାଶ ବାୟୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ରାଇସ୍ ହସ୍କ ଆଶ୍ ଆଧାରିତ ଗ୍ରାନୁଲ୍ସ ଉତ୍ପାଦନ), ଶ୍ରୀ ରାଧାରମଣ ଆଗ୍ରିଟେକ୍ ଇଣ୍ଡଷ୍ଟ୍ରିଜ୍ LLP (ଆଧୁନିକ ରାଇସ୍ ମିଲ୍), ବେଦନବୀ ଫୁଡ୍ସ (କାଜୁ ପ୍ରକ୍ରିୟାକରଣ ୟୁନିଟ୍) ଏବଂ ସ୍ନିଗ୍ଧା ଫ୍ୟାବ୍ରିକ୍ସ (ଆଧୁନିକ ଫ୍ଲାଏ ଆଶ୍ ବ୍ରିକ୍ସ ୟୁନିଟ୍)। ସେହିପରି ଆର୍ଯ୍ୟାନ୍ ଏଣ୍ଟରପ୍ରାଇଜେସ୍ର ଗ୍ରାନାଇଟ୍ ଶିଳ୍ପ ପାଇଁ କେସିଙ୍ଗା ଆଇଡିସିଓ ଏମ୍ଏସ୍ଏମ୍ଇ ପାର୍କରେ ଭୂମିପୂଜନ (Ground Breaking Ceremony) ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଭବାନୀପାଟଣା ଟାଉନ୍ ହଲ୍ରେ ଜିଲ୍ଲାପାଳ କଳାହାଣ୍ଡିଙ୍କ ଅଧ୍ୟକ୍ଷତାରେ “ଉଦ୍ୟମୀ ଓଡ଼ିଶା – ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ” ର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କ ଉତ୍ପାଦ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ୩୦୦ ରୁ ଅଧିକ ଉଦ୍ୟୋଗୀ, ଶିଳ୍ପପତି, ଛାତ୍ରଛାତ୍ରୀ ଓ ସାଧାରଣ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାରେ ଶିଳ୍ପାୟନ, ନିଯୁକ୍ତି ସୃଷ୍ଟି ଓ ଉଦ୍ୟୋଗୀତାର ବିକାଶକୁ ନୂତନ ଗତି ପ୍ରଦାନ କରିବ ବୋଲି ମତ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

