ପ୍ରେମ ପ୍ରତାରଣା: ଶାରିରୀକ ସଂପର୍କ ରଖି ପ୍ରତାରଣା ଅଭିଯୋଗ ରେ ଯୁବକ ଗିରଫ
କର୍ଲାମୁଣ୍ଡା, ୦୩/୦୬ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଏବେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାର ରେ ସଂପୃକ୍ତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ମ.ରାମପୁର ଥାନା ଅନ୍ତର୍ଗତ ଡୁମେରଗୁଡା (ଡଙ୍ଗାବାହାଲ)ର ଜଣେ ଯୁବତୀଙ୍କ ସହ ରିଷିଡା ଗାନ୍ଧୀନଗରପଡାର ଯୁବକ ଯୁଗଳ କିଶୋର ସିକଚାନ୍ଦଙ୍କର ଗତ ୪ବର୍ଷ ହେବ ପ୍ରେମସଂପର୍କ ଗଢି ଉଠିଥିଲା । ଗତ ଦୁଇବର୍ଷ ତଳେ ସେ ଦୁହେଁ ଫୁଳମାଳ ଓ ସିନ୍ଦୂର ପିନ୍ଧାଇ ଏକ ଲଜରେ ବିବାହ କରିଥିଲେ। ତା ପରେ ଯୁଗଳ ଉକ୍ତ ଯୁବତୀଙ୍କ ସହ ଜୋରଜବରଦସ୍ତ ଶାରିରୀକ ସଂପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଦୁଇଥର ଗର୍ଭବତୀ ହେବାରୁ ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ । ତେବେ ବର୍ତ୍ତମାନ ଯୁବକ ଓ ତାଙ୍କ ଘରଲୋକେ ଉକ୍ତ ଯୁବତୀଙ୍କୁ ବୋହୂ ଭାବେ ଗ୍ରହଣ କରିବା ପାଇଁ ମନା କରି ଗଣ୍ଡଗୋଳ କରିବାରୁ ଯୁବତୀ ରିଷିଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକା ଯୁବକଙ୍କୁ ଗିରଫ କରିଥିବା ବେଳେ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ ଯୁବକକୁ ଆଜି କୋର୍ଟ ଚାଲାଣ କରିବା ସହ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।